କରୋନା ଭିତରେ କର୍ତ୍ତବ୍ୟ ଆଗରେ ହାର ମାନିନି ମାଆର ମମତା: ୭ ବର୍ଷର ଝିଅକୁ ଧରି ଡ୍ୟୁଟି କରୁଛନ୍ତି ମିଞ୍ଜ…ସତ୍ୟବାଦୀ ଥାନାର ମହିଳା କନଷ୍ଟେବଳଙ୍କ କାର୍ଯ୍ୟକୁ ପ୍ରଶଂସା

712

କନକ ବ୍ୟୁରୋ: ବର୍ତ୍ତମାନ କରୋନା ମୁକାବିଲାରେ ଡାକ୍ତରଙ୍କ ପରି ପୋଲିସ ମଧ୍ୟ ପାଲଟିଛି ଅସଲ କରୋନା ଯୋଦ୍ଧା । ଏପରି ସ୍ଥିତିରେ କର୍ତବ୍ୟ ଆଗରେ ସବୁକିଛିକୁ ପଛ କରିଦେଇ ଦାୟିତ୍ୱର ସହ କରୋନା ଡ୍ୟୁଟି ସଂପାଦନ କରୁଛନ୍ତି ଅନେକ ପୋଲିସ କର୍ମୀ । ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ସତ୍ୟବାଦୀ ଥାନାରେ । ମହିଳା କନଷ୍ଟେବଲ ଜେରୁସ ମିଞ୍ଜ ଏବେ କରୁଛନ୍ତି ଏପରି କରୋନା ଡ୍ୟୁଟି । ଯାହା ଦେଖିଲେ ଆପଣ ମଧ୍ୟ ତାଙ୍କର ପ୍ରଶଂସା ନକରି ରହିପାରିବେ ନାହିଁ । ଜେରୁସ ମିଞ୍ଜଙ୍କର ଅଛି ୭ ବର୍ଷର ଝିଅ ।

ସ୍ୱାମୀ ମଧ୍ୟ ସରକାରି ଚାକିରିଆ । ସେ ଅନ୍ୟ ସ୍ଥାନରେ ପଡିଛନ୍ତି କରୋନା ଡ୍ୟୁଟିରେ । ଏବେ ଘରେ ଛୋଟ ଝିଅକୁ ସଂଭାଳିବାକୁ କେହି ନାହାନ୍ତି । ବର୍ତମାନର କରୋନାର କଠୋର ସମୟରେ ତାଙ୍କ ଆଗରେ ଦୁଇଟି ଆହ୍ୱାନ । ଗୋଟିଏ କରୋନା ଡ୍ୟୁଟି ଅନ୍ୟଟି ଜଣେ ମାଆର କର୍ତବ୍ୟ । ଏହା ଭିତରେ କରୋନାର କଠୋର ଡ୍ୟୁଟିକୁ ବାଛି ନେଇଛନ୍ତି ଜେରୁସ୍ ମିଞ୍ଜ । କୁନି ଝିଅକୁ ସାଙ୍ଗରେ ଧରି ଜେରୁସ୍ କରୁଛନ୍ତି କରୋନା ଡ୍ୟୁଟି । ଜଣେ ମହିଳା କନଷ୍ଟେବଲଙ୍କ ଏପରି କର୍ତବ୍ୟପରାୟଣତା ଏବେ ସାରା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି । ଜେରୁସ୍ ମିଞ୍ଜଙ୍କ ଏପରି କାମ ଦେଖି ପିପିଲିି ଏସଡିପିଓ ଦେବଦତ ବରାଳ ଏବଂ ପୁରୀ ଏସପି ଉମାଶଙ୍କର ଦାସ ମଧ୍ୟ ପ୍ରଶଂସା କରିଛନ୍ତି ।