ସମୁଦ୍ର ଆଁରେ ଏରସମା ବ୍ଲକ୍, ଶିଆଳି-କଳାବେଦି ପଟୁ ସମୁଦ୍ର ଖାଉଛି କୂଳ : ଜୁଆର ମାଡ଼ି ଯିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଏବେ ସମୁଦ୍ର ଆଁରେ । ଶିଆଳି ନିକଟରେ ସମୁଦ୍ର ତାଣ୍ତବ ରଚୁଛି। ବାରମ୍ବାର କୂଳ ଲଂଘୁଛି । ଗତ ସପ୍ତାହରେ ଶିଆଳି ବେଳାଭୂମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ିଆସି କଳାବେଦି ନିକଟରେ ଏକ ମୁହାଣ ସୃଷ୍ଟି କରିଛି । ଗାଁ ଭିତରକୁ ଜୁଆର ମାଡ଼ି ଯିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । କଳାବେଦି ନିକଟରେ ଏକ ୨୦ ଫୁଟ୍ର ଘାଇ ଆଗକୁ ବଡ଼ ବିପର୍ଯ୍ୟୟର ଆଭାସ ଦେଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୭ରେ ଶିଆଳି ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯିବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିଲା । ବେଳାଭୂମି ନିକଟରେ ଥିବା ଏକ ଭିଉ ଟ୍ୟୁବ୍କୁ ରକ୍ଷା କରିବା ପାଇଁ ବାଲି ବସ୍ତା ପକାଯାଇ ଏକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୁଦ୍ର ଜୁଆର ମାଡ଼ରେ ଏହି ବନ୍ଧ ଧୀରେ ଧୀରେ ଖାଇଗଲା। ଫଳରେ ସମୁଦ୍ର ଜୁଆର ଆସି ଏହି ଟ୍ୟୁବ୍କାନ୍ଥରେ ମାଡ଼ ହେଲା। ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମିଟର ଏକ ପଥର ବନ୍ଧ ନିର୍ମାଣ କରାଗଲା। ଏବେ ତାହା ସମୁଦ୍ର ଜୁଆର ଓ ବାଲି ମାଡ଼ରେ ପୋତି ହୋଇଗଲାଣି। ପଥର ବନ୍ଧ ଶେଷ ଭାଗରୁ କଳାବେଦି ପର୍ଯ୍ୟନ୍ତ ସମୁଦ୍ରରେ ଅତଡ଼ା ଖସିବା ଆରମ୍ଭ କଲାଣି । ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଏରସମା ପ୍ରତି କେତେବେଳେ ଯେ ଏହି ସମୁଦ୍ର ଦାଉ ସାଧିବ, ତାହା କହିହେବ ନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ବର୍ତମାନ ପବନ ଦକ୍ଷିଣରୁ ପଶ୍ଚିମ ଆଡ଼କୁ ହେଉଛି। ଯଦି ପୁବେଇ ପବନ ହୁଏ, ତେବେ ସମୁଦ୍ର ଜୁଆର ଗାଁକୁ ମାଡ଼ି ସବୁ କିଛି ଛାରଖାର କରିଦେବ। ସମୁଦ୍ର ଜୁଆର ମାଡ଼ି ଆସିଲେ ଏହାର ନିକଟବର୍ତ୍ତୀ କୁଂଜକୋଠି, ଜପା, ଆମ୍ବିକି, ପଦ୍ମପୁର, ଗଡ଼ହରିଶପୁର ଆଦି ନିଶ୍ଚିହ୍ନ ହୋଇଯିବ। କଳାବେଦି ନିକଟରେ ଥିବା ସରବନ୍ତ ମନ୍ଦିର ପାଖ ଓ ନୋଳିଆ ସାହି ପଟକୁ ସମୁଦ୍ର ଖାଇଲାଣି। ଏଣୁ ପରିସ୍ଥିତି ଧୀରେ ଧୀରେ ସଙ୍ଗିନ ହେବାରେ ଲାଗିଲାଣି। ୨୦୧୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ କରିବା ପାଇଁ ଯୋଜନା କରାଗଲା। ଏଥିନିମନ୍ତେ ପାଖାପାଖି ୫୫ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲା। ଏହି ବନ୍ଧଟି ବାଲିକୁଦା ନଗରଠାରୁ ଆରମ୍ଭ ହୋଇ କଳାବେଦି ପର୍ଯ୍ୟନ୍ତ ଆସିଲା। ମାତ୍ର ଜମିଜମା ସମସ୍ୟା ଯୋଗୁଁ ଏହି ବନ୍ଧ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହା ସେମିତି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୨୦୧୬ ମସିହାରୁ ଏହି ବନ୍ଧ କାମ ଯେଉଁଠି ଥିଲା, ସେଇଠି ରହିଛି। ଏ ଦିଗରେ ବର୍ତମାନ ସୁଦ୍ଧା କିଛି ବି ପଦକ୍ଷେପ ନିଆଯାଇ ନାହିଁ। ଏଣୁ ସମୁଦ୍ର ଜୁଆର ଯେଉଁପରି ଢଙ୍ଗରେ ବଢ଼ିବାରେ ଲାଗିଛି ସମ୍ପୂର୍ଣ୍ଣ ଏରସମା ବ୍ଲକ୍ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପ୍ରଶାସନର ଉଦାସୀନତା ଯୋଗୁଁ ସ୍ଥାନୀୟ ଲୋକେ ଉଭୟ ଜୀବନ ଓ ଜୀବିକା ହରାଇବେ।