ନକ ବ୍ୟୁରୋ : କରୋନା କାଳରେ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଗଲା । ମାଟ୍ରିକ୍‌ ମାର୍କ ଆଧାରରେ ଜୁଲାଇ ୩୧ରେ ପ୍ରକାଶିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳରେ ପିଲାମାନେ କୃତକାର୍ଯ୍ୟ ହେଲେ । ମାତ୍ର ଗୋଟିଏ ମାସ ବିତିଛି କି ନାହିଁ ନିଷ୍ପତ୍ତି ବଦଳିଗଲା । ଭଲ ମାର୍କରେ ପାସ୍‌ କରିଥିବା‌ ଛାତ୍ରଛାତ୍ରୀ ଏବେ ଫେଲ୍‌ ହୋଇଯାଇଛନ୍ତି । ଜଣେ କି ଦୁଇ ଜଣ ନୁହେଁ ।

Advertisment

ରାଜ୍ୟର ଶତାଧିକ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ପାସ୍‌ ମାର୍କସିଟ୍‌ ପାଇ ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ୍‌ ମାର୍କସିଟ୍‌ ମିଳିବାରୁ ନିରାଶ ହୋଇଛନ୍ତି । ବିଶେଷକରି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ମାର୍କସିଟ୍‌ରେ ଏଭଳି ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ଯୁକ୍ତ୨ ପରୀକ୍ଷା ଫଳକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଫେଲ୍‌ ହୋଇଥିବାରୁ ଛାତ୍ରଛାତ୍ରୀ କଲେଜକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କେହି ବି ଏମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁଥିପାଇଁ ଆତ୍ମହତ୍ୟା ପନ୍ଥା ଆପଣାଇବାକୁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡ଼ା ରାଜକନିକାସ୍ଥିତ ଶୈଳେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ନିହାର ରଞ୍ଜନ ବିଶ୍ବାଳ ଜୁଲାଇ ୩୧ରେ ପ୍ରକାଶ ପାଇଥିବା ରେଜଲ୍ଟ ଅନୁଯାୟୀ ମୋଟ ୨୭୨ ନମ୍ବର ରଖି ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍‌ଆଇଏଲରେ ୬୧ ନମ୍ବର ରଖିଥିବା ବେଳେ ଇଂରାଜୀରେ ୩୦, ଫିଜିକ୍ସ ଥିଓରିରେ ୨୩ ଓ ପ୍ରାକ୍ଟିକାଲରେ ୨୫, କେମେଷ୍ଟ୍ରି ଥିଓରିରେ ୨୩ ଓ ପ୍ରାକ୍ଟିକାଲରେ ୨୮, ବାୟୋଲୋଜି ଥିଓରି ୧ରେ ୧୨, ଥିଓରି-୨ରେ ୧୧, ପ୍ରାକ୍ଟିକାଲ-୧ ଓ ୨ରେ ୧୩ ଲେଖାଏଁ ଏବଂ ଗଣିତରେ ୩୩ ମାର୍କ ରଖିଥିଲେ। ତେବେ ପରବର୍ତୀ ସମୟରେ ଆସିଥିବା ପରୀକ୍ଷା ଫଳରେ ମୋଟ ମାର୍କ ୨୪୪କୁ ହ୍ରାସ ପାଇଛି । ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଥିଓରି ମାର୍କ ୨୩ରୁ ୧୫କୁ ହ୍ରାସ ପାଇଥିବା ବେଳେ ଗଣିତ ବିଷୟରେ ମାର୍କ ୨୧କୁ କମିଯାଇଛି। ଯେଉଁଥିପାଇଁ ଏବେ ମାର୍କସିଟ୍‌ରେ ଫେଲ୍‌ ବୋଲି ଉଲ୍ଲେଖ ହୋଇଛି ।

କେବଳ ନିହାର ନୁହନ୍ତି । ତାଙ୍କ ପରି ଆହୁରି ଅନେକ ଛାତ୍ରଛାତ୍ରୀ ବି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀମାନଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠିଛି। ରାଉରକେଲାର ପ୍ରାୟ ଦେଢ଼ ଶହ ଛାତ୍ରଛାତ୍ରୀ ଏଭଳି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । ସମାଧାନ ପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କିଛି କରିପାରିବେ ନାହିଁ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଯୋଗାଯୋଗ କରିବାକୁ କହିଛନ୍ତି । ସମାଧାନର ବାଟ ନ ବାହାରିଲେ ସହରର ସମସ୍ତ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଗତକାଲି ଚେତାବନୀ ଦେଇଛନ୍ତି ।