ସମଦୂରତା ନା ସାଲିସ! ପିନାକୀ କଲେ ମୋଦିଙ୍କ ପ୍ରଂଶସା, ସଂସଦରେ କହିଲେ ବୁଝାମଣାର ଭାଷା

159

କନକ ବ୍ୟୁରୋ: ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ଉପରେ ଭାଗନେଇ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରକୁ ସମର୍ଥନ ନେଇ ନିଜ ଦଳ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦିନେ ଯେଉଁ କେନ୍ଦ୍ରୀୟ ଅବହେଳା ଓ ସମଦୂରତ୍ୱ କଥା କହୁଥିଲା ବିଜେଡି, ସେହି ରାଜନୀତିରୁ ହଟି ମିଳିମିଶି କାମ କରିବାକୁ କହିଛନ୍ତି ବିଜେଡି ସାଂସଦ । ନବୀନ ଓ ଅମିତ ଶାହାଙ୍କ ଭେଟଘାଟ ପରେ ମିଳିମିଶି କାମ କରିବା କଥା କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ପିନାକୀଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା ଶୁଣିବାକୁ ମିଳିଛି । ପିନାକୀ କହିଛନ୍ତି, ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି । ବିଜେଡି କେନ୍ଦ୍ର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ କେବେ ବି ସମର୍ଥନ କରିବ ନାହିଁ ।

ଭୁବନେଶ୍ୱରରେ ନବୀନ ଓ ଶାହାଙ୍କ ଗୋପନ ବୈଠକ ପରେ ମିଳାମିଶାର କଥା କହିଛନ୍ତି ପିନାକୀ ମିଶ୍ର । ସଂସଦରେ ପିନାକୀ ରଖିଥିବା ବୟାନ ନେଇ ବିଜେଡି ଆଭିମୁଖ୍ୟର ପରିବର୍ତନ ଆଡକୁ ଇଙ୍ଗିତ କରୁଛି । ଆଉ ପାର୍ଲାମେଣ୍ଟରେ ବିଜେଡିର ଆଭିମୁଖ୍ୟ ରାଜ୍ୟ ବିଜେପି କ୍ୟାଡରକୁ ଆହୁରି ଦ୍ୱନ୍ଦ୍ୱରେ ପକାଇଛି ।

ବିରୋଧୀଙ୍କୁ ଟାର୍ଗେଟ କରି ପିନାକୀ କହିଛନ୍ତି ଅନାସ୍ଥ ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଉଛି, ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବା ଓ ବିବୃତ୍ତିି ଦେବାକୁ ବାଧ୍ୟ କରିବା । ପ୍ରଧାନମନ୍ତ୍ରୀ ଜଣେ ଭଲ ବକ୍ତା ଓ ସଂସଦର ସବୁ ଅଧିବେଶନରେ ସେ କହିଥାନ୍ତି । ଯେତେଥର ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି, ସେତେ ଥର କଂଗ୍ରେସକୁ ଅପଦସ୍ଥ କରିଛନ୍ତି । ନିଜ ନାକ କାଟିବା ପାଇଁ କଂଗ୍ରେସ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ କହିବାକୁ ବାଧ୍ୟ କରୁଛି ।

ପାର୍ଲାମେଣ୍ଟରେ ପିନାକୀ ମିଶ୍ରଙ୍କ ଭାଷଣ ସ୍ପଷ୍ଟ କରିଛି ଯେ, ବିଜେଡି ପାଇଁ କେନ୍ଦ୍ରୀୟ ଅବହେଳା ଓ ସମଦୂରତ୍ୱ ଆଉ ପ୍ରସଙ୍ଗ ହୋଇ ରହିନାହିଁ । ବର୍ତମାନ ବିଜେଡି ନିଜ ସରକାରର ଯୋଜନା ନେଇ ଭୋଟ ମାଗିବାକୁ ଲୋକଙ୍କ ପାଖକୁ ଯିବ । ସେପଟେ ପିନାକୀଙ୍କ ଅଭିଭାଷଣ ଉପରେ ରାଜ୍ୟ କଂଗ୍ରେସ କଡା ପ୍ରତିକ୍ରିୟା ରଖିଛି ।

କେନ୍ଦ୍ର ସରକାରକୁ ପ୍ରଶଂସା କରି ନିଜର ଏକ ବହୁ ଆକାଂକ୍ଷିତ ବିଲ ପାରିତ କରାଇନେବାକୁ ଚାପ ପକାଇଛି ବିଜେଡି । ମଣିପୁରରେ ମହିଳାଙ୍କ ଉପରେ ହିଂସାକୁ ନେଇ ଯେେତେବେଳେ ଚର୍ଚ୍ଚା ଚାଲିଛି ସେତିକିବେଳେ ମହିଳା ସଶକ୍ତିକରଣର କଥା କହିଛନ୍ତି ପିନାକୀ । ଆଉ ଏଥିପାଇଁ ଆଗାମୀ ଶୀତ ଅଧିବେଶନ ସୁଦ୍ଧା ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସମ୍ପର୍କିତ ବିଲକୁ ପାସ କରିବାକୁ ଦେଇଛନ୍ତି ପରାମର୍ଶ ।