ଇପିଏଫଓ ୱେବସାଇଟ ହ୍ୟାକ୍ ! ୨.୭ କୋଟି ଲୋକଙ୍କ ଡାଟା ଚୋରି, ବନ୍ଦ ହେଲା ଜନ ସେବା କେନ୍ଦ୍ର

73

କନକ ବ୍ୟୁରୋ : ପୁଣି ମାତିଲେ ହ୍ୟାକର । କିନ୍ତୁ ଚଳିତଥର ହ୍ୟାକରଙ୍କ ଟ୍ୟାର୍ଗେଟରେ ୨.୭ କୋଟି ଲୋକଙ୍କ ତଥ୍ୟ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫଓ ୱେବସାଇଟ ହ୍ୟାକ କରି ପ୍ରାୟ ୨.୭ କୋଟି ଲୋକଙ୍କ ଡାଟା ଚୋରି କରାଯାଇଛି । ଖାସକରି ଆଧାର ତଥ୍ୟକୁ ଚୋରି କରାଯାଇଛି ବୋଲି ଅନୁମାନ କରାଯାଉଛି ।ଏହି ଖବର ପ୍ରଘଟ ହେବାପରେ ସଂଗଠନର ୨କୋଟି ୭୦ ଲକ୍ଷ ସଭ୍ୟ ଆତଙ୍କିତ ହୋଇପଡ଼ିଛନ୍ତି।

ପରିସ୍ଥିତିର ମୁକାବିଲା ଲାଗି ବର୍ତମାନ ପାଇଁ ଜନ ସେବା କେନ୍ଦ୍ର (ସିଏସସି)କୁ ବନ୍ଦ ରଖାଯାଇଛି। କେନ୍ଦ୍ରୀୟ ଭବିଷ୍ୟନିଧି କମିସନର ଭିପି ଜୟ ଇଲେକଟ୍ରୋନିକ୍ସ ଏଣ୍ଡ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ପତ୍ର ଲେଖି ଏସଂପର୍କରେ ଜଣାଇବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଇନ୍ଦା ବ୍ୟୁରୋ ତଥ୍ୟକୁ ଆଧାର କରି ସେ ଏହି ପତ୍ର ଲେଖିବା ସହିତ ତଥ୍ୟ ଚୋରି ରୋକିବାଲାଗି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

aadhaar.epfoservices.com  ନାମରେ ଏହି େଓ୍ଵବସାଇଟରେ ଆଧାରକୁ ଲିଙ୍କ୍ କରି ହ୍ୟାକରମାନେ କେତେକ ପାଣ୍ଠି ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ତେବେ କେତେ ତଥ୍ୟ ଚୋରି ହୋଇଛି ତାହା ଜଣାପଡ଼ି ନାହିଁ। କିନ୍ତୁ ଇପିଏଫଓ ପକ୍ଷରୁ କୁହାଯାଇଛି ଯେ ଏଥିରେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜନ ସେବା କେନ୍ଦ୍ର (ସିଏସସି) ସେବାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ସିଏସସିରେ ରହିଥିବା ସମ୍ବେଦନଶୀଳତାର ଯାଞ୍ଚ ଚାଲିଛି। ଏହି ପ୍ରକ୍ରିୟା ଶେଷ ନହେବା ପର୍ୟ୍ୟନ୍ତ ସିଏସସି ସୁବିଧା ବନ୍ଦ ରହିବ। ଇପିଏଫଓ ସ୍ପଷ୍ଟ କରିଛି ଯେ, ତଥ୍ୟ ଓ ସଫଟଓୟାରର ସମ୍ବେଦନଶୀଳତା ଯାଞ୍ଚ କରିବା ପାଇଁ ସତର୍କ ସୂଚନା ଏକ ସାଧାରଣ ପ୍ରଶାସନିକ ପ୍ରକ୍ରିୟା। ସେଥିପାଇଁ ମାର୍ଚ ୨୨ ପରଠାରୁ ସିଏସ୍ସି ଜରିଆରେ ଦିଆଯାଉଥିବା ସେବାଗୁଡ଼ିକୁ ବନ୍ଦ କରିଦିଆଯାଇଛି।

ଚିଠିରେ କେବଳ ସିଏସସିଗୁଡ଼ିକ ଜରିଆରେ ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ବିଷୟରେ ସତର୍କ ସୂଚନା ରହିଛି। ଇପିଏଫଓର ସଫ୍ଟଓୟାର କିମ୍ବା ଡାଟା ସେଣ୍ଟର୍ ସହିତ ତାହାର କୌଣସି ସମ୍ପର୍କ ନାହିଁ ବୋଲି ଇପିଏଫଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଖବର ବିଷୟରେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି ଯେ ଯେଉଁ େଓ୍ଵବସାଇଟ୍ କଥା କୁହାଯାଉଛି ତାହା ଆମର ନୁହେଁ। ଆମ ସର୍ଭରରୁ କୌଣସି ତଥ୍ୟ ଚୋରି ହୋଇନାହିଁ। ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ରହିଛି।

ଉଲ୍ଲେଖଯୋଗ୍ୟ, ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ୍) ସହିତ ଆଧାର ଲିଙ୍କ୍ କରିବାକୁ ଇପିଏଫଓ ପକ୍ଷରୁ ସଦସ୍ୟମାନଙ୍କୁ କୁହାଯାଇଛି। ଅନଲାଇନରେ ଏହି ସୁବିଧା ପ୍ରଦାନ କରାଯାଉଥିଲା। ଏହାପୂର୍ବରୁ ଅନେକ ସରକାରୀ େଓ୍ଵବସାଇଟ୍ ହ୍ୟାକ ହୋଇଛି। ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୨୦୧୭ରୁ ଜାନୁଆରି ୨୦୧୮ ମଧ୍ୟରେ କେନ୍ଦ୍ର ସରକାରଙ୍କ ୧୧୬ଟି ବିଭାଗୀୟ େଓ୍ଵବସାଇଟ୍ ହ୍ୟାକ୍ ହୋଇଥିଲା। ଗତ ଏପ୍ରିଲ ମାସରେ ପ୍ରତିରକ୍ଷା, ସ୍ୱରାଷ୍ଟ୍ର ଏବଂ ଆଇନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର େଓ୍ଵବସାଇଟ୍ ହ୍ୟାକ୍ ହୋଇଥିଲା।