କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ପରେ ଆର୍ଥିକ ସଙ୍କଟରେ ପଡିଯାଇଥିବା ଆଦାନୀ ଗ୍ରୁପକୁ ନେଇ ଆସିଛି ବଡ ସୂଚନା । କେବଳ ଭାରତୀୟ ଜୀବନ ବିମା (ଏଲଆଇସି), ଭାରତୀୟ ଷ୍ଟେଟ ବ୍ୟାଙ୍କ ନୁହେଁ ଆଉ ବଡ ସରକାରୀ ସଂସ୍ଥା ଆଦାନୀ କମ୍ପାନୀରେ ନିବେଶ କରିଛି । ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରୁଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫଓ) ଆଦାନୀ ଗ୍ରୁପର ଦୁଇଟି କମ୍ପାନୀରେ ବିପୁଳ ପରିମାଣ ଟଙ୍କା ନିବେଶ କରିଥିବା ସୂଚନା ମିଳିଛି ।
ଆଦାନୀ ଗ୍ରୁପ ବିରୋଧରେ ସେୟାର ମୂଲ୍ୟ ହେରଫେର, ଆକାଉଣ୍ଟ ଜାଲିଆତି, ଜାଲ କମ୍ପାନୀ ଗଠନ ଭଳି ସଙ୍ଗୀନ ଅଭିଯୋଗ ହିଣ୍ଡେନବର୍ଗ ଆଣିବା ପରେ ଏହାର ଆଦାନୀ ଗ୍ରୁପ୍ର ସେୟାର ମୂଲ୍ୟ ୬୦ ପ୍ରତିଶତରୁ ଅଧିକ ହ୍ରାସ ପାଇଲାଣି । କିନ୍ତୁ ଏହା ପରେ ବି ଇପିଏଫଓ ଆଦାନୀ ଗ୍ରୁପର ଦୁଇଟି କମ୍ପାନୀରେ ଟଙ୍କା ନିବେଶ କରିଚାଲିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।
ଆଦାନୀ କମ୍ପାନିରେ ଇପିଏଫ୍ଓ ଟଙ୍କା ?
ଆଦାନୀ ଗ୍ରୁପରେ ନିବେଶ କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ
ଆଦାନୀ ଗ୍ରୁପର ଦୁଇଟି କମ୍ପାନୀରେ ଇପିଏଫଓ ଟଙ୍କା ନିବେଶ କରିଛି
ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆଦାନୀ ଏଂଟରପ୍ରାଇଜେସରେ ଟଙ୍କା ଲାଗିଛି
ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡରେ ଟଙ୍କା ଲଗାଇଛି ଇପିଏଫଓ
ଏହି ଦୁଇ କମ୍ପାନୀରେ ଚଳିତ ବର୍ଷ ସେପ୍ଟେମ୍ବର ଯାଏ ନିବେଶ ଜାରି ରଖିବ ଇପିଏଫଓ
ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ଇପିଏଫଓର ନିବେଶ ପରିମାଣ ୧. ୫୭ ଲକ୍ଷ କୋଟି ଥିଲା
୨୦୨୨-୨୩ରେ ଆଉ ୮ ହଜାର କୋଟି ନିବେଶ କରିଛି ଇପିଏଫଓ
ଇପିଏଫଓ, ଏଲଆଇସି, ଏସବିଆଇ ଭଳି ବଡ ବଡ ସରକାରୀ ସଂସ୍ଥାର ଟଙ୍କା ଆଦାନି ଗ୍ରୁପରେ ଲାଗିଛି
ଆଦାନୀ ଗ୍ରୁପ ବିରୋଧରେ ସେୟାର ମୂଲ୍ୟ ହେରଫେର, ଆକାଉଂଟ ଜାଲିଆତି ଅଭିଯୋଗ ରହିଛି
ଜାଲ କମ୍ପାନୀ ଗଠନ ଭଳି ସଙ୍ଗୀନ ଅଭିଯୋଗ ଆଦାନୀ ଗ୍ରୁପ ବିରୋଧରେ ଆଣିଛି ହିଣ୍ଡେନବର୍ଗ
ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର ହ୍ରାସ ପାଇବାରେ ଲାଗିଛି
କିନ୍ତୁ ସରକାରୀ ସଂସ୍ଥା କାହିଁକି ଆଦାନୀଙ୍କ କମ୍ପାନୀରେ ଟଙ୍କା ନିବେଶ ଜାରି ରଖିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି
ଇପିଏଫଓ, ଏଲଆଇସି, ଏସବିଆଇ ଭଳି ବଡ ବଡ ସରକାରୀ ସଂସ୍ଥାର ଟଙ୍କା ଆଦାନୀ ଗ୍ରୁପରେ ଲାଗିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକଙ୍କ ଟଙ୍କାକୁ କାହିଁକି ଆଦାନି ଗ୍ରୁପରେ ନିବେଶ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଟୁଇଟ କରି ରାହୁଲ କହିଛନ୍ତି, ଆଦାନୀରେ ଏଲଆଇସି ପାଣ୍ଠି, ଆଦାନୀରେ ଏସବିଆଇ ପାଣ୍ଠି, ଇପିଏଫଓ ପାଣ୍ଠି ବି ଆଦାନୀକୁ । ଲୋକମାନଙ୍କ ଅବସରକାଳୀନ ପାଣ୍ଠିକୁ କାହିଁକି ଆଦାନି କମ୍ପାନୀରେ ନିବେଶ କରାଯାଇଛି ତାହା ଉପରେ ତଦନ୍ତ ନାହିଁ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯବାବ ବି ନାହିଁ । କ’ଣ ପାଇଁ ଆଦାନୀ ପ୍ରତି ଏତେ ଭୟ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।