ଇପିଏଫ ଟଙ୍କା ଉଠାଣ ନେଇ ଆସିଲା ନୂଆ ନିୟମ: ଏଣିକି ଏହି ସବୁ ପ୍ରମାଣପତ୍ର ନଥିଲେ ଟଙ୍କା ଉଠାଇପାରିବେନି କର୍ମଚାରୀ; ଜାଣନ୍ତୁ କେଉଁ ସବୁ ପରିସ୍ଥିତିରେ ଆପଣ ଉଠାଇପାରିବେ ପିଏଫ ଟଙ୍କା?

1,351

କନକ ବ୍ୟୁରୋ: ଜଣେ ବେସରକାରୀ କର୍ମଚାରୀ ପାଇଁ ଇପିଏଫ ଆକାଉଂଟ୍ ହେଉଛି ସବୁଠାରୁ ବଡ ଉତ୍ସ । ନିଜ ଚାକିରି କାଳ ମଧ୍ୟରେ ଦରମାର କିଛି ଭାଗ ଅଂଶ କର୍ମଚାରୀ ଜଣକ ନିଜ ଭବିଷ୍ୟତ ପାଇଁ ସଂଚୟ କରିଥାଏ । ଆଉ ଏହି ସଂଚିତ ପୁଂଜି ସଂକଟ ସମୟରେ କାମରେ ଲାଗିଥାଏ । ତେବେ ଇପିଏଫ ଟଙ୍କାକୁ ନେଇ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଙ୍କିମାରୁଥିବ କି ପିଏଫ ଟଙ୍କା ଉଠାଇବା ସମୟରେ କଣ ସବୁ କାଗଜପତ୍ରର ଆବଶ୍ୟକତା ରହିଛି ଏବଂ କେଉଁ ପରିସ୍ଥିତିରେ ଜଣେ କର୍ମଚାରୀ ଏହି ଟଙ୍କା ବିନା କୌଣସି ବାଧାରେ ଉଠାଇପାରିବେ । ତେବେ ପିଏଫ ଟଙ୍କା ଓି୍ୱଡ୍ରାଲ୍ ବେଳେ  କ୍ଲେମ ଫର୍ମ, ଦୁଇଟି ରାଜସ୍ୱ ଷ୍ଟାମ୍ପ, ଆଡ୍ରେସ୍ ପ୍ରୁଫ୍, ଆଇଡେଂଟି ପ୍ରୁଫ୍, ବ୍ୟାଙ୍କ ଆକାଉଂଟ ଷ୍ଟେଟମେଂଟ, ବାପାଙ୍କ ନାଁ ଏବଂ ଜନ୍ମ ତାରିଖ ଆଦି ତଥ୍ୟ ଆପଣଙ୍କୁ ଦେବାକୁ ପଡିବ ।

ଏବେ ନଜର ପକାନ୍ତୁ କେଉଁ ପରିସ୍ଥିତିରେ ଆପଣ ଆପଣଙ୍କର ଏହି ଇପିଏଫ ଟଙ୍କାକୁ ଉଠାଇପାରିବେ…

ଚିକିତ୍ସା କ୍ଷେତ୍ରରେ

ତେବେ ଇପିଏଫ ଖାତାଧାରକ ନିଜ ପାଇଁ ତଥା ନିଜ ପରିବାର ସଦସ୍ୟଙ୍କ ଚିକିତ୍ସା ଖର୍ଚ୍ଚ ନିମନ୍ତେ ଇପିଏଫର ପୂରା ଟଙ୍କା ଉଠାଇପାରିବେ । ଏଭଳି ପରିସ୍ଥିତିରେ କୌଣସି ବି ସମୟରେ କର୍ମଚାରୀ ଇପିଏଫ ଟଙ୍କା ଉଠାଇପାରିବେ । ତେବେ ଏଥିପାଇଁ ଗୋଟିଏ ମାସ ତଥା ଏହାଠୁ ଅଧିକ ଦିନ ଯାଏଁ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ପ୍ରମାଣ ଦେବାକୁ ପଡିବ ।

ପାଠପଢା କ୍ଷେତ୍ରରେ

ପାଠପଢା ସମ୍ବନ୍ଧୀୟ କ୍ଷେତ୍ରରେ ମଧ୍ୟ କର୍ମଚାରୀ ନିଜ ପିଏଫ ଫଣ୍ଡରୁ ଟଙ୍କା ଉଠାଇପାରିବେ ।  ତେବେ ସଂପୃକ୍ତ କର୍ମଚାରୀଙ୍କ ଇପିଏଫ ଆକାଉଂଟରେ ଯେତିକି ଟଙ୍କା ଜମା ହୋଇଥିବ ତାର ମାତ୍ର ୫୦ ପ୍ରତିଶତ ପିଏଫ ସେ ଉଠାଇପାରିବେ ।

ବେକାରୀ କ୍ଷେତ୍ରରେ

ଯଦି କୌଣସି ଖାତାଧାରକଙ୍କ ରୋଜଗାର ନାହିଁ କିମ୍ବା ଚାକିରି ଛାଡି ଦେଇଛନ୍ତି ତେବେ ସଂପୃକ୍ତ କର୍ମଚାରୀ ଚାକିର ଛାଡିବାର ଗୋଟିଏ ମାସ ପରେ ୭୫ ପ୍ରତିଶତ ଅର୍ଥରାଶି ଉଠାଇପାରିବେ । ତେବେ  ଏହି ଅର୍ଥରାଶୀ ପାଇବା ପରେ ବଳକା ୨୫ ପ୍ରତିଶତ ଅର୍ଥରାଶୀକୁ  କର୍ମଚାରୀ ଜଣକ ଗୋଟିଏ ମାସ ମଧ୍ୟରେ ଉଠାଇପାରିବେ । ସେହିପରି ଯଦି କୌଣସି କର୍ମଚାରୀଙ୍କ ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ଦରକାର ଥିବ ତେବେ ତାଙ୍କୁ ମୋଟ୍ ଆମାଉଂଟର ସ୍ୱଳ୍ପ ଭାଗ ଅଂଶ ତଥା ମାସିକ ଦରମାର ଛଅ ଗୁଣା କ୍ଲେମ କରିପାରିବେ ।

ଗୃହ ଋଣ କ୍ଷେତ୍ରରେ

ସେହିଭଳି ହୋମ୍ ଲୋନ ପେମେଂଟ ପାଇଁ କର୍ମଚାରୀ ପିଏଫ ଫଣ୍ଡରୁ ସର୍ବାଧିକ ଜମାରାଶି ଉଠାଇପାରିବେ । ଖାତାଧାରକଙ୍କୁ ଏଥିପାଇଁ ତାଙ୍କ ମୋଟ ଜମା ରାଶିର ୯୦ ପ୍ରତିଶତ ଅଂଶର ଅର୍ଥରାଶି ଉଠାଇପାରିବେ ।  ସେହିଭଳି ବିବାହ କାର୍ଯ୍ୟକ୍ରମ  ପାଇଁ ଏହି ସୀମା ୫୦ ପ୍ରତିଶତ ଧାର୍ଯ୍ୟ କରାଯାଇ ଥିବା ବେଳେ କେବଳ ଅବସର ସମୟରେ ଇପିଏଫରେ ଜମା ଥିବା ସବୁ ଟଙ୍କାକୁ ଆପଣ ଏକାଥରେ ଉଠାଇପାରିବେ ।