ଟଙ୍କା ବଦଳାଇବା ପାଇଁ ମଜୁରିଆଙ୍କ ଲମ୍ବାଧାଡ଼ି ଘଟଣାରେ EOWର ତନାଘନା । ଆରବିଆଇରୁ ସିସିଟିଭି ଫୁଟେଜ ନେଇ ତଦନ୍ତ କରୁଛି ଅର୍ଥନୈତିକ ଅପରାଧୀକ ଶାଖା

79

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳ ଘଟଣାକୁ ଗୁରୁତର ସହ ନେଇଛି ଇଓଡବ୍ଲୁ । କଳାଟଙ୍କା ବଦଳ ନେଇ ଚର୍ଚ୍ଚା ପରେ ଇଓଡବ୍ଲୁ ଓ ଇଡି ଆରବିଆଇକୁ ଯାଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛନ୍ତି । ଆରବିଆଇରୁ ୪ ଦିନର ସିସିଟିଭି ଫୁଟେଜ ଓ ତଥ୍ୟ ନେଇଥିବା ବେଳେ ଆରବିଆଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଟଙ୍କା ବଦଳ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ସେନେଇ ତନାଘନା ଚାଲିଛି । ଇଓଡବ୍ଲୁ ଟିମ୍ ବ୍ୟାଙ୍କର ୪ ଦିନର ଦେଣ ନେଣ ତଥ୍ୟ ହାତେଇଛି ।

ବ୍ୟାଙ୍କର ସିସିଟିଭି ଫୁଟେଜ ସହ ଆକାଉଣ୍ଟରେ ଜମା ଓ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ମାଗିଛି । ଯେଉଁ ଲୋକମାନେ ବାରମ୍ବାର ଟଙ୍କା ଜମା ଓ ବଦଳ କରୁଥିବେ, ସେମାନଙ୍କ ତାଲିକା କରାଯିବ । ଯଦି ଜମା ବା ବଦଳ ଅର୍ଥ ସନ୍ଦେହଜନକ ଥିବ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜେରା କରାଯିବ । ଆଉ ଇଓଡବ୍ଲୁର ଏଭଳି ତନାଘନା ପରେ ଏବେ ବିଭିନ୍ନ ମହଲରେ ଛାନିଆ ପଶିଛି । ଏହାରି ଭିତରେ ବାରମ୍ବାର ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ବଢିଛି ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କିଆ ନୋଟ୍ ଜମା । ପୂର୍ବରୁ ମାତ୍ର ୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିବା ବେଳେ ଏବେ ଏହା ୨୫-୩୦ ପ୍ରତିଶତକୁ ବଢିଛି । ଗତକାଲି ୧୪୦ଜଣ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ।