ସାଧୁବେଶରେ କଳା କାରବାର କରୁଥିବା ବାବା ବିଜୟାନନ୍ଦଙ୍କ ଲମ୍ବୁଛି ଠକାମୀ ତାଲିକା । ବ୍ରହ୍ମପୁର ଠିକାଦାର ଆଣିଲେ ସାଂଘାତିକ ଅଭିଯୋଗ, ୨ଟି ଆକାଉଣ୍ଟ ଫ୍ରିଜ କରି ‘ମନି ଟ୍ରେଲ୍’ର ମୂଳ ଖୋଜୁଛି ଇଓଡବ୍ଲୁ ।

296

କନକ ବ୍ୟୁରୋ : ଓଟିଡିସିର ଅଧ୍ୟକ୍ଷ ଭାବେ ପରିଚୟ ଦେଇ କଂଟ୍ରାକ୍ଟରଙ୍କୁ ଚୂନା ଲଗାଇଥିବା ଭଣ୍ଡ ବାବାର ଗୋଟିଏ ପରେ ଗୋଟିଏ ନୂଆ ଦିଗର ଖୁଲାସା ହେଉଛି । ଇଓଡବ୍ଲୁ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଠକ ବାବାଙ୍କ ୨ଟି ଆକାଉଂଟକୁ ଫ୍ରୀଜ କରାଯାଇଛି । ସେହିଭଳି କେଉଁ ଆକାଉଂଟରୁ କେତେ ଟଙ୍କା ଆସିଥିଲା ଓ କାହାକୁ କେତେ ଟଙ୍କା ଯାଇଥିଲା, ତାର ମୂଳରେ ପହଂଚିବାକୁ ତଦନ୍ତ କରାଯାଉଛି । ୩କୋଟି ଟଙ୍କା ଠକେଇର ଏହି ପୁରା ବ୍ଲୁ- ପ୍ରିଂଟରେ ଆଉ କିଏ କିଏ ସାମିଲ ଅଛନ୍ତି ସେମାନେ ମଧ୍ୟ ତଦନ୍ତର ରାଡାରକୁ ଆସିପାରନ୍ତି ବୋଲି ସୂଚନା ମିଳିଛି ।

ବାବା ବିଜୟାନନ୍ଦ ମହାରାଜ ଓରଫ ବିଜୟାନନ୍ଦ ଚୌଧୁରୀ । ଲୋକଙ୍କ ସାମନାରେ ବାବାର ପରିଚୟ ଦେଇ, ଧର୍ମଶାସ୍ତ୍ର ବୁଝାନ୍ତି । ସାଧୁତାର ସହିତ ଜୀବନଯାପନ କରିବାର ମନ୍ତ୍ର ଦିଅନ୍ତି । ବାସ୍ତୁ ସାଧନା କରି ଲୋକଙ୍କ ଶୁଭ ମନାସନ୍ତି । କିନ୍ତୁ ଭିତରେ ଭିତରେ ବାବା ଡିଲ ବି କରନ୍ତି । ମିଛ ଡିଲରେ ପଇସା ନିଅନ୍ତି । କୋଟି କୋଟି ଟଙ୍କା ହଡପ କରନ୍ତି ।

ବାବାଙ୍କ ଫୋକସରେ ଥିଲେ ଠିକାଦାର । ମିଛ ୱାର୍କ ଅର୍ଡର ଦେଉଥିଲେ, ସୁଯୋଗ ଦେଖି ଲୁଟୁଥିଲେ । ବାବାଙ୍କ ଅସଲ କାରନାମାର କାହାଣୀ ସେତେବେଳେ ପଦାକୁ ଆସିଲା ଯେତେବେଳେ ବାବାଙ୍କୁ ହାତ କଡି ପିନ୍ଧାଇଲା ଅର୍ଥନୈତିକ ଅପରାଧ ଶାଖା । ଇଓଡବ୍ଲ୍ୟୁର ତଦନ୍ତ ଯେତିକି ଆଗଉଛି, ବାବାଙ୍କ ଅପରାଧର ଗୁମର ସେତିକି ଖୋଲିବାରେ ଲାଗିଛି । ବାବା କେବେ, କାହାକୁ. କେମିତି ଓ କେତେ ଜଣଙ୍କୁ ଚୂନା ଲଗାଇଛନ୍ତି ତାର ତାଲିକା ଲମ୍ବିବାରେ ଲାଗିଛି । ଖୋର୍ଦ୍ଧାର କଂଟ୍ରାକ୍ଟର ଭଳି ଗଞ୍ଜାମର ଜଣେ କଂଟ୍ରାକ୍ଟରଙ୍କୁ କୋଟି କୋଟି ଟଙ୍କାର କାମ ଦେବାକୁ କହି , ପିସି ବାବଦକୁ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ବାବା ।

ମନି ଟ୍ରେଲକୁ ନେଇ ତଦନ୍ତ କରୁଥିବା ଇଓଡବ୍ଲ୍ୟୁ କହିଛି, ଓଟିଡିସିରେ କାମ ଦେବା ନାରେ ଜଣେ ଠିକାଦାରଠାରୁ ନେଇଥିବା ୩ କୋଟି ଟଙ୍କାକୁ ବାଂଟିକୁଟି ହଜମ କରି ଦେଇଛନ୍ତି । ତଦନ୍ତରୁ ଜଣା ପଡିଛି ତିନି କୋଟି ଟଙ୍କାରୁ କୋଟିଏ ୧୪ଲକ୍ଷ ଟଙ୍କା ଠିକାଦାରଙ୍କ ଆକାଉଂଟରୁ ସିଧାସଳଖ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କ ଆକାଉଂଟକୁ ଯାଇଛି । ଏହା ସହିତ କୋଟିଏ ୮୫ ଲକ୍ଷ ଟଙ୍କା ନଗଦ କାରବାର ହୋଇଛି । ଏପରିକି ଚନ୍ଦନଙ୍କ ଆକାଉଂଟରୁ ବାବା ଏବଂ ଠକ ଗ୍ୟାଙ୍ଗରେ ଥିବା ଏକାଧିକ ଲୋକଙ୍କ ପାଖକୁ ଟଙ୍କା ଯାଇଛି । ଜାଲ କାଗଜପତ୍ର ଜରିଆରେ ଓଟିଡିସି ଅଫିସ ଆଗରେ ଛିଡା ହୋଇ ବାବା ଓ ତାଙ୍କ ସହଯୋଗୀମାନେ ଠିକାଦାରଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ଆଉ ତାପରେ ସେମାନଙ୍କ ଚୂନା ଲଗାଉଥିଲେ ।