ଆରବିଆଇରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଘଟଣା: ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଲା ଇଓଡବ୍ଲୁ ଓ ଇଡି

134

କନକ ବ୍ୟୁରୋ: ୨ହଜାର ଟଙ୍କିଆ ନୋଟ୍ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିଛି ଇଡି ଓ ଇଓଡବ୍ଲୁ । କିଏ କେତେଥର ଟଙ୍କା ବଦଳ କରିଛନ୍ତି ସେହି ତଥ୍ୟ ରିଜର୍ଭ ବ୍ୟାଙ୍କ ଠାରୁ ସଂଗ୍ରହ କରିଛନ୍ତି ତଦନ୍ତକାରୀ ସଂସ୍ଥା । ଏହାସହ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି ତଦନ୍ତକାରୀ ସଂସ୍ଥା । ଲୋକଙ୍କ ଆଧାର କାର୍ଡ ଯାଂଚ ସହ ଟଙ୍କାର ଉତ୍ସ କଣ ତାହା ବୁଝିଛନ୍ତି ଇଡି ଓ ଇଓଡବ୍ଲୁ ଟିମ୍ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗାଏବ ହୋଇଯାଇଛନ୍ତି ଦଲାଲ । ଲଗାତର ଭାବେ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ୨ହଜାର ଟଙ୍କିଆ ବଦଳ ପାଇଁ ଲୋକଙ୍କ ଭିଡ଼ ପରେ ଗତକାଲି ଇଡି ଓ ଇଓଡବ୍ଲୁର ଟିମ୍ ଏଠାରେ ପହଂଚି ଛାନଭିନ ଆରମ୍ଭ କରିଥିଲା । ଟଙ୍କା ବଦଳ କରିବାକୁ ଦିନ ମଜୁରିଆଙ୍କୁ କିଏ ପଠାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ସନ୍ଦେହ ହେଉଛି ପୋଲିସ ନଜରରୁ ବଂଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି ।