କୋଲକାତାର ଅଧିନାୟକ ପଦ ଛାଡିଲେ କାର୍ତ୍ତିକ । ମୁମ୍ବାଇ ବିପକ୍ଷ ମ୍ୟାଚରେ କେକେଆରର ନେତୃତ୍ୱ ନେବେ ମୋର୍ଗାନ ।

296

କନକ ବ୍ୟୁରୋ : ବାଙ୍ଗାଲୋର ବିପକ୍ଷରେ ବଡ ବ୍ୟବଧାନରେ ପରାଜିତ ହେବା ପରେ କୋଲକାତା ଟିମର ଅଧିନାୟକ ଦିନେଶ କାର୍ତ୍ତିକ ବଡ ନିଷ୍ପତ୍ତି ନେଇଛନ୍ତି । କାର୍ତ୍ତିକ କୋଲକାତା ଟିମର ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଇଂଲଣ୍ଡ ଦଳର ବିଶ୍ୱବିଜୟୀ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟସମ୍ୟାନ ଇଅନ ମୋର୍ଗାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଆଜି ମୁମ୍ବାଇ ବିପକ୍ଷ ମ୍ୟାଚରେ କୋଲକାତାର ଅଧିନାୟକ ଭାବେ ମୈଦାନକୁ ଓହ୍ଲାଇବେ ମୋର୍ଗାନ । ଏହାପୂର୍ବରୁ କୋଲକାତାର ଉପ-ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିଲେ ମୋର୍ଗାନ ।

କୋଲକାତା ଏଯାଏଁ ୭ଟି ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଏହାସତ୍ତେ୍ୱ ମଧ୍ୟ କାର୍ତ୍ତିକଙ୍କ ଅଧିନାୟକତ୍ୱକୁ ନେଇ ଲଗାତାର ଆଲୋଚନା ହୋଇ ଆସୁଥିଲା । ଏସବୁ ଭିତରେ କାର୍ତ୍ତିକ ନିଜ ତରଫରୁ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ଟିମ ମ୍ୟାନେଜମେଣ୍ଟ ମଧ୍ୟ କାର୍ତ୍ତିକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ କହିଛି, କାର୍ତ୍ତିକଙ୍କ ଏଭଳି ନିଷ୍ପତ୍ତି ମୋତେ ଆଶ୍ଚର୍ଯ୍ୟଚକିତ କରିଛି । ଏଭଳି ନିଷ୍ପତ୍ତି ପାଇଁ ସାହସ ଥିବା ଦରକାର । ଏହାପୂର୍ବରୁ କାର୍ତ୍ତିକ ୨୦୧୮ରୁ ୨୦୨୦ ମଧ୍ୟରେ ୩୯ଟି ମ୍ୟାଚରେ କୋଲକାତା ଟିମର ନେତୃତ୍ୱ ନେଇଛନ୍ତି । ଯେଉଁଥିରୁ ୧୯ଟିରେ ବିଜୟ ଓ ୧୭ ଟି ମ୍ୟାଚରେ ପରାଜିତ ହୋଇଛି କେକେଆର । ଗୋଟିଏ ମ୍ୟାଚ୍ ଟାଇ ରହିଛି ।

ଆଇପିଏଲରେ କୋଲକାତା ଟିମ ଗଠନ ପରଠାରୁ ଏବେ ଯାଏଁ ୫ ଜଣ ଅଧିନାୟକ ରହିଛନ୍ତି । ମୋର୍ଗାନ ୬ଷ୍ଠ ଅଧିନାୟକ ଭାବେ ଦଳର ନେତୃତ୍ୱ ନେବେ । ଏହାପୂର୍ବରୁ ସୌରଭ ଗାଙ୍ଗୁଲି, ବ୍ରେଣ୍ଡନ ମ୍ୟାକକୁଲମ, ଗୌତମ ଗମ୍ଭୀର, ଜ୍ୟାକ କାଲିସ, ଦିନେଶ କାର୍ତ୍ତିକ ଦଳର ନେତୃତ୍ୱ ନେଇଛନ୍ତି । ଚଳିତ ଆଇପିଏଲର ଅଧାରୁ ଇଅନ ମୋର୍ଗାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ । ୨୦୦୮ରୁ ଆଇପିଏଲ ଖେଳି ଆସୁଥିବା କୋଲକାତା ନାଇଟ ରାଇଡର୍ସ ଗମ୍ଭୀରଙ୍କ ନେତୃତ୍ୱରେ ୨ ଥର ଚାମ୍ପିୟନ ଟାଇଟଲ ମଧ୍ୟ ହାତେଇଛି । ତେଣୁ ମୋର୍ଗାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇ ପୁଣିଥରେ ଦଳକୁ ଚାମ୍ପିୟନ କରିବା ଲକ୍ଷ୍ୟରେ କୋଲକାତା ।