ଏଣିକି ଶିକ୍ଷକ ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା :  ପୂରଣ ହେବ ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦବୀ

11,573

କନକ ବ୍ୟୁରୋ : ଏଣିକି ଶିକ୍ଷକ ନିଯୁକ୍ତି ପାଇଁ ହେବ ପ୍ରବେଶିକା ପରୀକ୍ଷା । ରାଜ୍ୟରେ ପୂରଣ ହେବ ଖାଲି ଥିବା ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦବୀ । ନିଯୁକ୍ତି ପାଇବେ ୬ ହଜାର ଟିଜିଟି, ୪ ହଜାର ୪୪୫ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ । ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ତେବେ ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ପ୍ରବେଶିକା ପରୀକ୍ଷା ସିବିଟି (କମ୍ପ୍ୟୁଟର ବେସଡ୍‌ ଟେଷ୍ଟ) ମାଧ୍ୟମରେ ହେବ । ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ବତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ ଏବଂ ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ । ପୂର୍ବରୁ ଯେତେଥର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଛି ତାହା ଯୋଗ୍ୟତା ତଥା କ୍ୟାରିଅର ମାର୍କିଂ ଆଧାରରେ କରାଯାଇଛି । ‌ତେବେ ଏଥର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ‌ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ସଙ୍କଟ ଦେଖାଦେଇଛି । ଗତ ୫ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ଆଦି ବହୁ ଶିକ୍ଷକ ପଦ ଖାଲିପଡ଼ିଛି । ୨୦୧୬ରେ ହିନ୍ଦୀ, ସଂସ୍କୃତ, ପିଇଟି ଓ ୨୦୧୯-୨୦ରେ ଟିଜିଟିକୁ ମିଶାଇ ମୋଟ ୨୭୪୦ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୩୦୦ ଜଣ ନିଯୁକ୍ତ ହୋଇଥିଲେ । ସେବେଠାରୁ ଆଉ ନିଯୁକ୍ତି ହୋଇ ନ ଥିବାରୁ ଦିନକୁ ଦିନ ଖାଲି ଶିକ୍ଷକ ପଦ ବଢ଼ିବଢ଼ି ଚାଲିଛି । ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ପଦ ଖାଲି ରହିଛି ।

ଯାହାକି ମୋଟ ଅନୁମୋଦିତ ଶିକ୍ଷକ ପଦର ୩୪% ହେବ । ଏତେ ସଂଖ୍ୟକ ବିଷୟ ଭିତ୍ତିକ ପଦ ଖାଲିପଡ଼ିବା ଚିନ୍ତାର ବିଷୟ ପାଲଟିଛି । ତାହାକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତୁରନ୍ତ ପଦ ପୂରଣ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଇତିମଧ୍ୟରେ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲିଥିବା ୪ ହଜାର ୪୪୫ ହିନ୍ଦୀ, ସଂସ୍କୃତ ଓ ପିଇଟି ପଦ ପୂରଣ ଲାଗି ଅର୍ଥ ବିଭାଗ ପକ୍ଷରୁ ଅନୁମତି ମିଳିସାରିଛି। ଏଥିସହ ୬ ହଜାର ଟିଜିଟି ପଦ ପୂରଣ ଲାଗି ମଧ୍ୟ ପ୍ରକ୍ରିୟା ଜାରି ରହିଛ।

ତେଣୁ ଚଳିତବର୍ଷରେ ୧୦ ହଜାର ୪୪୫ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଷୟିକ କମିଟି ଏଦିଗରେ ବ୍ୟାପକ ମାନସମନ୍ଥନ କରିବା ସହ ସିବିଟି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରସ୍ତାବ ଦେଇଛି। ଯାହାକୁ ଆଧାର କରି ‌ବିଭାଗ ଏବେ ପ୍ରବେଶିକା ପରୀକ୍ଷା ଲାଗି ଟେଣ୍ଡର ଆହ୍ବାନ କରିବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗଠାରୁ ଅନୁମତି ଲୋଡ଼ାଯାଇଛି। ଯେତେଶୀଘ୍ର ଅନୁମତି ମିଳିଲେ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।