କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁସାରେ ଆଜିଠାରୁ ଦେଶରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । କିନ୍ତୁ ଏଥିପାଇଁ କେତେକ ସର୍ତ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗତକାଲି ବିଳମ୍ବିତ ରାତିରେ ଏନେଇ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରାଳୟ । ଦେଶରେ ଏବେ ତାଲାବନ୍ଦ ଘୋଷଣା ହୋଇଛି । ଏହା ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଅଣ ଅତ୍ୟାବଶ୍ୟକ ଦୋକାନ ମଧ୍ୟ ଖୋଲା ରହିବ ବୋଲି ମନ୍ତ୍ରାଳୟ କହିଛି । କିନ୍ତୁ ଏଥିରେ ଦୋକାନର ଅଧା କର୍ମଚାରୀ କାମ କରିପାରିବେ ।
ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କଟକଣାରେ ଏହି କୋହଳ ହଟସ୍ପଟ କିମ୍ବା କଂଟେନମେଂଟ ଜୋନ୍ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ମନ୍ତ୍ରାଳୟ । ତେଣୁ ଆଜିଠାରୁ ଦେଶରେ ବ୍ୟବସାୟୀକ କାରବାର ଜୋର ଧରିବା ବୋଲି ଅନୁମାନ କରାଯାଉଛି । ତାଲାବନ୍ଦ ଯୋଗୁଁ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ହୋଇଛି । ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଥିଲା ।
ଏବେ ନଜର ପକାନ୍ତୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଖୋଲା ରହିବ କେଉଁସବୁ ଦୋକାନ
- ସପ୍ ଆଣ୍ଡ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ
- ପୌରପାଳିକା ଅଂଚଳ ବାହାରେ ଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଓ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ
- ରେସିଡେନସିଆଲ ଅଂଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ
- ଗ୍ରାମାଂଚଳରେ ସବୁ ପ୍ରକାର ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି
- ସହରାଂଚଳରେ କେବଳ ଗୋଟିକିଆ ଦୋକାନ ଖୋଲାଯାଇ ପାରିବ
- ମାର୍କେଟ କଂପ୍ଲେକ୍ସରେ ନଥିବା ସେଲୁନ୍ ଓ ଟେଲର ଦୋକାନ ଖୋଲିବାକୁ ଅନୁମତି
- ପୌରପାଳିକା ଭିତରେ ନଥିବା ଦୋକାନ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ
ଏବେ ନଜର ପକାନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସାନି ବିଜ୍ଞପ୍ତିରେ କେଉଁସବୁ ଦୋକାନ ଖୋଲିବାକୁ ମିଳିନାହିଁ ଅନୁମତି
- ଖୋଲିବ ନାହିଁ ସପିଂ ମଲ ଓ ସିନେମା ହଲ
- ଏକାଧିକ ଦୋକାନ ଥିବା ମାର୍କେଟ କଂପ୍ଲେକ୍ସ ଖୋଲିବା ଅନୁମତି ନାହିଁ
- ମ୍ୟୁନିସିପାଲିଟି ଅଂଚଳ ବାହାରେ ଥିବା ବ୍ରାଣ୍ଡେଡ୍ ଦୋକାନ ଖୋଲିବ ନାହିଁ
- ମଦ ଦୋକାନ ଖୋଲି ପାରିବେ ନାହିଁ
- ଜିମ୍, ଷ୍ପେର୍ଟ୍ସ କଂପ୍ଲେକ୍ସ, ସ୍ୱିମିଂ ପୁଲ, ଥିଏଟର, ବାର ଓ ଅଡିଟୋରିମ ଖୋଲିବ ନାହିଁ
- ସପିଂ ମଲରେ ଥିବା ସ୍ପା, ବ୍ୟୁଟି ପାର୍ଲର ଓ ବୁଟିକ ଖୋଲିବାକୁ ନାହିଁ ଅନୁମତି