୧୩ ବିଧାୟକ ଇସ୍ତଫା ଦେବା ପରେ, ସଙ୍କଟରେ କୁମାରସ୍ୱାମୀଙ୍କ ୧୩ ମାସର ସରକାର । ମେଣ୍ଟ ସରକାର ବଞ୍ଚାଇବାକୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ ।

137

କର୍ଣ୍ଣାଟକରେ ୧୩ ବିଧାୟକ ଇସ୍ତଫା ଦେବା ପରେ ୧୩ ମାସର କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଦେଖାଦେଇଛି । କଂଗ୍ରେସ-ଜେଡିଏସର ଏହି ମେଣ୍ଟ ଏବେ ସରକାର ବଞ୍ଚାଇବାକୁ ବଡ ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ଏଥିପାଇଁ କଂଗ୍ରେସର ୨୧ ଜଣ ମନ୍ତ୍ରୀ ଇସ୍ତଫା ଦେବା ସହ ଜେଡିଏସର ସମସ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଆଉ ଏହାସହ ନୂଆ କ୍ୟାବିନେଟ ଗଠନ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଯେଉଁଥିରେ ଅସନ୍ତୁଷ୍ଟ ବିଧାୟକଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି ।

କଂଗ୍ରେସ ଓ ଜେଡିଏସ ମନ୍ତ୍ରୀ ଇସ୍ତଫା ଦେବା ପରେ ଏବେ ବିଜେପି ସରକାର ଗଢିବା ନେଇ ପ୍ରୟାସ ଆରମ୍ଭ କରିଛି । ଏହାଛଡା ଆଜି ଏକମାତ୍ର ସ୍ୱାଧୀନ ବିଧାୟକ ମଧ୍ୟ ମନ୍ତ୍ରୀପଦ ଛାଡିବା ସହ ବିଜେପିକୁ ସମର୍ଥନ କରିବା ନେଇ ମଧ୍ୟ ସବୁଜ ସଂକେତ ଦେଇଛନ୍ତି ।

ତେବେ ଏଭଳି ସ୍ଥିତିରେ କର୍ଣ୍ଣାଟକର ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା ବିଧାୟକ ଦଳ ବୈଠକ ଡାକିବା ପରେ କହିଛନ୍ତି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତା ହରାଇସାରିଛି । ତେଣୁ କୁମାରସ୍ୱାମୀଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଆବଶ୍ୟକ । ଏଭଳି ସ୍ଥଳେ ସରକାର ଚଳାଇବାର କୌଣସି ଅଧିକାର କୁମାରସ୍ୱାମୀଙ୍କର ନାହିଁ । ଆସନ୍ତାକାଲି ଠାରୁ ଦଳର କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରିବେ । ତେଣୁ ରାଜ୍ୟପାଳ ଏହା ଉପରେ ତୁରନ୍ତ ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି ୟେଦ୍ୟୁରପ୍ପା ।