କଳା ପ୍ରେମରେ ପୂରା ପରିବାର…କଳାକାର ସ୍ୱପ୍ନ ବାଟରେ କଂଟା ସାଜିପାରିନି ଅର୍ଥ…ବାପାଙ୍କୁ ଅନୁସରଣ କରି ତବଲା ବଜାଉଛନ୍ତି ଦୁଇ ଝିଅ

319

କନକ ବ୍ୟୁରୋ: କୁନି କୁନି ଝିଅ, ତବଲାରେ ହାତର ସ୍ପର୍ଶରେ ବାହାରୁଛି ମନକୁ ମୋହିଲା ଭଳି ସଙ୍ଗୀତର ମୂର୍ଚ୍ଛନା । ଜୟପୁର ସହରରେ ରହୁଥିବା ସଲଭିଆ ଓ ସଲୋନିଙ୍କ ତବଲା ବାଦନକୁ ବିସ୍ମୟ କହିଲେ ଭୁଲ ହେବ ନାହିଁ । ବାପା ତରୁଣ କୁମାର ପାଣିଙ୍କୁ ଗୁରୁ କରି ତବଲା ସାଧନା କରୁଛନ୍ତି ଦୁଇ ଭଉଣୀ । ପ୍ରତିଦିନ ସନ୍ଧ୍ୟାରେ ୨ଘଂଟା ବାପାଙ୍କ ସହ ମିଶି ତବଲା ଶିଖିବା ସହ ବିଭିନ୍ନ ପ୍ରକାର ସ୍ୱର ସଂଯୋଜନା କରନ୍ତି ଦୁଇ ଭଉଣୀ । ସଲଭିଆ ସ୍କୁଲଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ବାପା ତରୁଣ କୁମାର ପାଣି ମଧ୍ୟ ଆକାଶବାଣୀର ଜଣେ ସ୍ୱକୃତୀପ୍ରାପ୍ତ କଳାକାର । ରାଜ୍ୟର ବିଭିନ୍ନ କୋଣରେ ନିଜର ପ୍ରତିଭାର ପରିଚୟ ସେ ଅନେକ ଥର ଦେଇ ପ୍ରଶଂସିତ ହୋଇଛନ୍ତି ।

କିନ୍ତୁ ପରିବାର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ତରୁଣ ତାଙ୍କର ଏହି ନିଶାକୁ ପେସାରେ ପରିବର୍ତ୍ତନ କରିପାରିନଥିଲେ । ତେଣୁ ବାଧ୍ୟ ହୋଇଥିଲେ ଅଟୋରିକ୍ସା ଚଳାଇବାକୁ । ତେବେ ତରୁଣଙ୍କ ପରିବାର କହିଲେ ବୁଢୀ ମାଆ, ପତ୍ନୀ ଏବଂ ୨ ଝିଅ । ଅଭାବରେ ରହିବା ସତ୍ୱେ ତରୁଣ ତବଲାକୁ ଛାଡିପାରି ନାହାନ୍ତି । ଏପରିକି ତାଙ୍କଠାରୁ ୨ ଝିଅ ବି ଏହି କଳା ପାଇଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାପାଙ୍କ ତବଲା ବାଦନ ଦେଖିବା ପରେ ସେମାନେ ବି ଏହି କଳାକୁ ଆପଣାଇଛନ୍ତି ।

ତରୁଣଙ୍କ ବଡ ଝିଅ ସଂଧ୍ୟା ସପ୍ତମ ଶ୍ରେଣୀରେ ପାଠପଢୁଥିବା ବେଳେ ସାନ ଝିଅ ଚତୁର୍ଥ ଶ୍ରେଣୀରେ ପଢୁଛି । ହେଲେ ଉଭୟ କିନ୍ତୁ ବାପାଙ୍କ ପାଦଙ୍କ ଅନୁସରଣ କରି ତବଲା ବଜାଇବା ଶୁଖୁଛନ୍ତି । ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାରେ କେହି ମହିଳା ତବଲା ବାଦକ ନଥିବା ଏମାନେ ହେବେ ପ୍ରଥମ ପିଢି । ଏହି କଳାକାର ପରିବାରଙ୍କୁ ଯଦିଓ କୌଣସି ସରକାରୀ ପ୍ରୋତ୍ସାହନ ମିଳିନାହିଁ । ତଥାପି ଲୋପ ପାଇ ଆସୁଥିବା ବାଦ୍ୟଯନ୍ତ୍ର ତବଲାକୁ ବଂଚାଇ ରଖିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ତରୁଣ । ତେବେ କଳା ପାଇଁ ସମର୍ପିତ ଏହି ପରିବାର ଲକ୍ଷ୍ୟ ପୁରଣ କରିବା ଦିଗରେ ସରକାରୀ ସହାୟତା ଯୋଗାଇ ଦେବାକୁ ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।