କନକ ବ୍ୟୁରୋ : କରୋନା ଯୋଗୁଁ ଦୀର୍ଘ ୧୮ ମାସ ହେଲା ବନ୍ଦ ରହିଥିଲା ପ୍ରାଥମିକ ବିଦ୍ୟାଳୟ । ଏବେ ସ୍କୁଲ ଖୋଲିଛି, ପିଲାମାନେ ବିଦ୍ୟାଳୟ ମୁହାଁ ହୋଇଛନ୍ତି । ଦୀର୍ଘ ଦିନର ବନ୍ଦ ଯୋଗୁଁ ଛାତ୍ରଛାତୀଙ୍କ ମନରେ ପାଠ ପ୍ରତି ଆଗ୍ରହ କମି ଯାଇଥିଲା । ଏବେ କିନ୍ତୁ ରାଜ୍ୟ ସରକାର ପିଲାମାନଙ୍କ ମୁହଁରେ ହସ ଫୁଟାଇପାରିଛନ୍ତି । ଦୀର୍ଘ ଦେଢ଼ ବର୍ଷ ପରେ ପିଲାମାନେ ସ୍କୁଲ ଶ୍ରେଣୀଗୃହରେ ବସି ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ପୂର୍ବରୁ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଆସୁଥିଲେ । ଆଜିଠାରୁ ଅଷ୍ଟମ ପିଲାଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି ।

Advertisment

କରୋନା ସଂକ୍ରମଣ ହାର କମିବା ପରେ ବିଦ୍ୟାଳୟ ଖୋଲିଛି, ଉତ୍ସାହର ସହ ଦୀର୍ଘ ଦେଢବର୍ଷ ପରେ ସ୍କୁଲକୁ ଆସିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଥିବା ୭୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଛି । ପ୍ରଥମ ଦିନରେ ୭୦ ପ୍ରତିଶତ ପିଲା ବିଦ୍ୟାଳୟକୁ ଆସିଛନ୍ତି । ଏଥିପାଇଁ ସକାଳୁ ସକାଳୁ ଗହଳି ଚହଳି ଲାଗିଥିଲା । ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ଆଗରେ ଭିଡ଼ ଜମାଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ କରି ମାସ୍କ ଓ ଚକୋଲେଟ୍ ଦେଇ ସେମାନଙ୍କୁ ସ୍ୱାଗତ କରିଛନ୍ତି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାର ୮୧୧ଟି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଛି । ପିଲାମାନେ ବିଦ୍ୟାଳୟକୁ ଆସିବା ଆଗରୁ ଶ୍ରେଣୀଗୃହ, ଶୌଚାଳୟ ଓ ପରିବେଶକୁ ପରିଷ୍କାର କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସକାଲ ୯ଟାରେ ପିଲାମାନେ ସ୍କୁଲ ଆଗରେ ପହଞ୍ଚିଥିଲେ । ସେମାନଙ୍କୁ ସାନିଟାଇଜର ଓ ଥରମାଲ ସ୍କ୍ରିନିଂ କରାଯାଇ ଶ୍ରେଣୀ ଗୃହରେ ସାମାଜିକ ଦୂରତା ମାନି ବସାଯାଇଥିଲା ।

କଟକ ନିଆଳି ବ୍ଲକ ବିନିଶପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହାତରେ ଫୁଲ, ଚନ୍ଦନ, ପେନ୍ ଆଉ ବିସ୍କୁଟ ଧରି ଅପେକ୍ଷା କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । ପିଲାଙ୍କୁ ସ୍ୱାଗତ କରି ବିଦ୍ୟାଳୟ ଭିତରକୁ ପାଛୋଟି ନେଇଥିଲେ । ପରେ ପିଲାଙ୍କୁ ସ୍କୁଲ ପରିବେଶ ସହ ଖାପ ଖୁଆଇବା ପାଇଁ ସେମାନଙ୍କ ମଧ୍ୟରେ ଆଲୋଚନା, ବକୃତା, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଛି । ଏତେ ଦିନ ପରେ ବିଦ୍ୟାଳୟକୁ ଆସିଥିବାରୁ ଛାତ୍ରଛାତ୍ରୀମାନେ ବେଶ ଖୁସି ଅନୁଭବ କରିଛନ୍ତି । ୧୮ ମାସ ପରେ ଶ୍ରେଣୀଗୃହକୁ ଫେରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । କରୋନା କଟକଣା ଭିତରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍ଲୁଲରେ ପିଲାମାନଙ୍କ ପାଠପଢା ହେବ ।