ରୁପା ଶଗଡ଼ିରେ ସୁନା କନିଁଆ .. ନୂଆ ଜହ୍ନ ପରି ଛନଛନିଆ 

Advertisment

କନକ ବ୍ୟୁରୋ : ପିଲାବେଳେ ଯେତେବେଳେ କଳାଧଳା ଟିଭିରେ ଏହି ଗୀତଟି ବାଜୁଥିଲା ରୋଷେଇ ଘରେ ମା’ଠାରୁ ଆରମ୍ଭ କରି ଅଗଣାରେ ଖେଳୁଥିବା କୁନି କୁନି ପିଲା ମଧ୍ୟ ପାଲଟି ଯାଉଥିଲେ ଶଗଡ଼ବାଲା । ମା’ ଗୀତର ତାଳେ ତାଳେ ଗୁଣୁଗୁଣେଇ ହେଉଥିଲେ ଆଉ ଅଗଣାରେ ମୁଣ୍ଡରେ ଗାମୁଛା ବାନ୍ଧି କୁନି ପିଲା ସବୁ ଶଗଡ଼ବାଲା ହୋଇ କଣ୍ଢେଇ ରାଣୀକୁ ଧରି ସୁନା କନିଁଆ ବୋଲି କହୁଥିଲେ । କେତେ ସୁନ୍ଦର ସମୟ ଥିଲା । ଟିଭିରେ ଆସୁଥିବା ଅଭିନେତା ଜଣକ ବିଜୟ ମହାନ୍ତି ବୋଲି ସମସ୍ତେ ଜାଣୁଥିଲେ । ବିଜୟ ଯାହାଙ୍କ ଅଭିନୟର ଛାପ ଆବାଳ ବୃଦ୍ଧବନିତାଙ୍କ ହୃଦୟରେ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛି । ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟକାର ଥିଲେ ବିଜୟ । ଅଭିନୟ କ୍ଷେତ୍ରରେ ପାରଙ୍ଗମ ଜଣେ ଅଭିନେତା ଯାହାଙ୍କୁ ଅଲରାଉଣ୍ଡର ବୋଲି କୁହାଯାଉଥିଲା । ହାସ୍ୟ ଅଭିନେତା , ଖଳନାୟକ , ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ଛାପ ଛାଡ଼ିଯାଇଛନ୍ତି ବିଜୟ ମହାନ୍ତି । ୧୯୭୭ ରେ ବିଜୟ ‘ଚିଲିକା ତୀରେ’ ଚଳଚ୍ଚିତ୍ରରେ ଅଭିନୟ ଜୀବନର ଆରମ୍ଭ କରିଥିଲେ । ସିନେମା ପାଇଁ ଅଭିନେତାଙ୍କୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ୨୦୧୪ ମସିହା ଲୋକସଭା ନିର୍ବାଚନରେ ସେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । 

Bijay
Bijay Photograph: (google)

ତୁଳସୀ କ୍ଷେତ୍ରର ପାଣ୍ଡିରି ଗ୍ରାମରୁ ଜନ୍ମ ହୋଇଥିବା ଏହି ସହରୀ ବାଘ ୧୯୫୦ ମସିହା ଏପ୍ରିଲ ୮ ତାରିଖରେ ଜନ୍ମ ହୋଇଥିଲେ ଏବଂ ୭୦ ବର୍ଷ ବୟସରେ ଜୁଲାଇ ୨୦ , ୨୦୨୦ ରେ ଶାରୀରିକ ଅସୁସ୍ଥତା କାରଣରୁ ଇହଧାମ ତ୍ୟାଗ କରିଥିଲେ । ବିଜୟଙ୍କ ବାପା ଆଦିକନ୍ଦ ମହାନ୍ତି ବାରିପଦାରେ ସରକାରୀ ବସରେ କଣ୍ଡକ୍ଟର ଚାକିରି କରୁଥିଲେ । ବିଜୟଙ୍କ ଶିକ୍ଷାରମ୍ଭ ମଧ୍ୟ ସେହିଠାରୁ ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ିଲା ବେଳେ ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର କରି ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିବା ସହ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ ନାଟକରେ ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି କରି ସେ ସଫଳତା ପାଇଥିଲେ ।

Bijay 44
Bijay 44 Photograph: (google)

ସାଙ୍ଗମାନଙ୍କୁ ନେଇ "ଯୁଗେଚ୍ଛା ନାଟ୍ୟ ସଂସ୍ଥା" ନାମକ ଅନୁଷ୍ଠାନ ଗଢ଼ି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀରୁ ଶିକ୍ଷା ସମାପ୍ତ କରି ବିଜୟ ମହାନ୍ତି ୧୯୭୭ ରେ ଚିଲିକା ତୀରେ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି  ସେ ସିନେପ୍ରେମୀଙ୍କ ପସନ୍ଦର ପାତ୍ର ହୋଇ ପାରିଥିଲେ । ଏହି ସମୟରେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ସେ ଜୀବନସାଥୀ ରୂପେ ଚୟନ କରିଥିଲେ । ତେବେ ଶାରୀରିକ ଅସୁସ୍ଥତା କାରଣରୁ ୨୦୨୦ ମସିହା ଜୁଲାଇ ୨୦ ତାରିଖରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ସହରୀ ବାଘ ସିନା ଚାଲିଗଲେ କିନ୍ତୁ ସେ ଦେଖାଇଥିବା ସୁନ୍ଦର ବାଟ ଏବେ ଅନେକ ଯୁବକ ଓ ଯୁବତୀଙ୍କୁ ସଫଳତାର ମାର୍ଗ ଦେଖାଉଛି । ବିଭିନ୍ନ ଚରିତ୍ରକୁ ନିଖୁଣ ଭାବେ ପରଦାରେ ପ୍ରଦର୍ଶନ କରି ବାଃ ବାଃ ସାଉଁଟୁଛନ୍ତି ବିଜୟଙ୍କ ଶିଷ୍ୟ । 

Bijay-Mohantys
Bijay-Mohantys Photograph: (google)