କନକ ବ୍ୟୁରୋ: ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ତଥା ମହାଭାରତ ଧାରାବାହିକର ‘କର୍ଣ୍ଣ’ ପଙ୍କଜ ଧୀର୍ । ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଦୁଃଖର ବିଷୟ ହେଲା ଯେ, କିଛି ବର୍ଷ ହେଲାଣି କର୍କଟ ରୋଗରେ ଜୀବନ-ମୃତ୍ୟୁ ସହ ଲଢ଼େଇ କରିଚାଲିଥିଲେ ଆଜି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।
ପଙ୍କଜ ଧୀର୍ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିଲେ । କିନ୍ତୁ ସେ ୧୯୮୮ ମସିହାରେ ବି.ଆର. ଚୋପ୍ରାଙ୍କ ମହାଭାରତର ‘କର୍ଣ୍ଣ’ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଚରିତ୍ରକୁ ଯେଉଁ ଭଳି ଭାବେ ଦର୍ଶକଙ୍କୁ ଦେଖାଇଥିଲେ ତାହା ଏବେ ବି ଅନେକଙ୍କ ମନରେ ଘର କରି ରହିଛି । ଏକ ସାକ୍ଷାତକାରରେ ପଙ୍କଜ କହିଥିଲେ ଯେ ସେ ପ୍ରଥମେ ଅର୍ଜୁନ ଭୂମିକା ପାଇଁ ଅଡିସନ୍ ଦେଇଥିଲେ ତଥାପି ତାହା ଫିରୋଜ ଖାନଙ୍କୁ ଦିଆ ଯାଇଥିଲା ।
ବଡ଼କଥା ହେଉଛି ମହାଭାରତର ସୁଟିଂ ସମୟରେ ପଙ୍କଜଙ୍କ ଆଖିରେ ଏକ ତୀର ବାଜିଥିଲା । ପରେ ତାଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିଲା । ମହାଭାରତ ଯୁଦ୍ଧ ଦୃଶ୍ୟ ଗୁଡ଼ିକୁ ଜୀବନ୍ତ କରିବା ପାଇଁ ବି.ଆର. ଚୋପ୍ରା ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ, ଯାହା ଫଳରେ ସେଟରେ ଅନେକ ଅଭିନେତା ଗୁରୁତର ଆହତ ହୋଇଥିଲେ । ଖାଲି ଏତିକି ନୁହେଁ ପଙ୍କଜ ଟିଭି ସୋ’ ଚନ୍ଦ୍ରକାନ୍ତା ଏବଂ ଦି ଗ୍ରେଟ୍ ମରାଠା ଭଳି ପୌରାଣିକ ସୋ’ ସମେତ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ସୋଲଜର, ବାଦଶାହ ଏବଂ ସଡକ ଭଳି ହିନ୍ଦୀ ଫିଲ୍ମରେ ମଧ୍ୟ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଥିଲେ ।
ପଙ୍କଜ ଧୀର ୧୯୭୦ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର "ପରୱାନା" ରେ ଜଣେ ସହ ନିର୍ଦ୍ଦେଶକ ଭାବରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପରେ, ସେ ଚଳଚ୍ଚିତ୍ରରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତେବେ ପଙ୍କଜଙ୍କ ଦେହାନ୍ତ ଖବର ପୂରା ବଲିଉଡ ଜଗତକୁ ସ୍ତବ୍ଧ କରିଦେଇଛି ।