କନକ ବ୍ୟୁରୋ : କରୋନା ଭୂତାଣୁ ବ୍ୟାପିବା ସମୟରେ ଦେଶରେ ଲକଡାଉନ୍ ଭଳି ସ୍ଥିତି ଉପୁଜିଥିଲା ଏବଂ ସେତେବେଳେ ରାଜ୍ୟ ବାହାରେ ଫସିଥିବା ଶ୍ରମିକମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରି ଶ୍ରମିକଙ୍କ ଭଗବାନର ପରିଚୟ ପାଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ସେତେବେଳେ ସମାଜସେବୀ ହୋଇ ଅନେକ ଜୀବନ ବଞ୍ଚାଇଥିଲେ ସୋନୁ । କେବଳ ଶ୍ରମିକଙ୍କ ଭଗବାନ ନୁହେଁ ଅନେକ କ୍ଷେତ୍ରରେ ସୋନୁ ନିଜ ବିଶାଳ ହୃଦୟରୁ ପରିଚୟ ଦେଇଛନ୍ତି । ବର୍ତ୍ତମାନ ମଧ୍ୟପ୍ରଦେଶର ଦେବାଶ ଜିଲ୍ଲାରେ ଅନାଥ ପିଲାଙ୍କ ପାଇଁ ସୋନୁ ସୁଦ୍ ଫାଉଣ୍ଡେସନ୍ ପକ୍ଷରୁ ଶିକ୍ଷାକ୍ଷେତ୍ରରେ ବିକାଶ ପାଇଁ ଅର୍ଥ ଯୋଗଦାନ ଦିଆଯାଉଛି । ସୋନୁ ସୁଦ୍ ଫାଉଣ୍ଡେସନ୍ ପକ୍ଷରୁ ଦେବାଶ ଜିଲ୍ଲାର ୧୦୦ ଜଣ ଅବହେଳିତ ଏବଂ ଗରିବ ପିଲାଙ୍କୁ ଶିକ୍ଷା ଦେବାର ଦାୟିତ୍ବ ନେଇଛନ୍ତି ଅଭିନେତା ସୋନୁ । ଏହି ନୂଆ ଅଭିଯାନର ନାଁ ସେ ‘ଶିକ୍ଷାଦାନ’ ରଖିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଙ୍କ ଫାଉଣ୍ଡେସନ୍ ଛାତ୍ରଛାତ୍ରୀଙ୍କୁ କେବଳ ସ୍କୁଲ୍ ପଠାଇବାର ବ୍ୟବସ୍ଥା କରୁନାହିଁ ବରଂ ଭବିଷ୍ୟତରେ ସଶକ୍ତ ହେବାର ମଧ୍ୟ ସାହସ ମଧ୍ୟ ଯୋଗାଉଛି । 

Advertisment
SONU
SONU Photograph: (Google)

ତେବେ ‘ଶିକ୍ଷାଦାନ’ର ଲଞ୍ଚ୍ କରିବା ସମୟରେ ସଭାକୁ ସମ୍ବୋଧିତ କରି ଅଭିନେତା କହିଥିଲେ ‘ଶିକ୍ଷା ହେଉଛି ପରିବର୍ତ୍ତନର ଶକ୍ତିଶାଳୀ ଉପକରଣ ଏବଂ ଆମର କର୍ତ୍ତବ୍ୟ ହେଉଛି ପିଲାମାନଙ୍କର ଶିକ୍ଷାକୁ ନେଇ ଦାୟିତ୍ବବାନ ହେବା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପରିବାରର ପିଲାମାନଙ୍କ ପାଇଁ ଏହି ସ୍କୁଲ୍ ଜରିଆରେ ୟୁନିଫର୍ମ , ବ୍ୟାଗ୍ ଏବଂ ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ସହିତ ନୀତିଶିକ୍ଷା ମଧ୍ୟ ଉପଲବ୍ଧ ରହିବ । ମଧ୍ୟପ୍ରଦେଶର ଦେବାଶ ହେଉଛି ପ୍ରଥମ ଜିଲ୍ଲା ଯେଉଁଠି ସୋନୁ ସୁଦ୍ ଫାଉଣ୍ଡେସନ୍ ପକ୍ଷରୁ ଶିକ୍ଷାକ୍ଷେତ୍ରରେ ଏଭଳି ଅଭିଯାନ ଆରମ୍ଭ କରାଯାଇଛି । ଏହା ପରେ ପରେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସୋନୁଙ୍କ ଏପରି ଅଭିଯାନ ଆରମ୍ଭ କରିବାର ଯୋଜନା ରହିଛି ।