କନକ ବ୍ୟୁରୋ : ଲକ୍ଷ୍ନୌର ଏକ ଫାଇଭ୍ ଷ୍ଟାର୍ ହୋଟେଲରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ରିକେଟର୍ ରିଙ୍କୁ ସିଂ ଏବଂ ସପା ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ହୋଇସାରିଛି । ଦୁହିଁଙ୍କ ନିର୍ବନ୍ଧର ପ୍ରଥମ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହି ହାଇ-ପ୍ରୋଫାଇଲ୍ ବାହାଘରରେ ରିଙ୍କୁ ଏବଂ ପ୍ରିୟାଙ୍କ ପରିବାର ସମେତ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚ୍ଚନ, ଇକରା ହସନ, ରାମଗୋପାଳ ଯାଦବଙ୍କ ଭଳି ବଡ଼ ବଡ଼ ନେତା ସାମିଲ ହୋଇଥିଲେ । ନିର୍ବନ୍ଧ ପରେ ଦୁହେଁ ନଭେମ୍ବର ୧୮ ତାରିଖରେ ବିବାହ କରିବେ ବୋଲି ସୂଚନା ମିଳୁଛି । 

Advertisment

ଫଟୋରେ ରିଙ୍କୁ ଧଳା ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ପ୍ରିୟା ଗୋଲାପୀ ରଙ୍ଗର ଚିକନକାରି ଲେହେଙ୍ଗା ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । କ୍ରିକେଟରଙ୍କ ନିର୍ବନ୍ଧରେ କ୍ରିକେଟ୍, ରାଜନୀତି ଏବଂ ବ୍ୟବସାୟ ଜଗତର ବଡ଼ ବଡ଼ ଚେହେରା ନଜର ଆସିଥିଲେ । ବର୍ଷେ ପୂର୍ବରୁ ରିଙ୍କୁ ଏବଂ ପ୍ରିୟାଙ୍କର ସାକ୍ଷାତ ହୋଇଥିଲା । ଯାହାପରେ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଚଳିତବର୍ଷ ପ୍ରଥମରୁ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ଯାହା ବର୍ତ୍ତମାନ ନିର୍ବନ୍ଧର ରୂପ ନେଇଛି । ପ୍ରିୟା ଗତବର୍ଷ ମାତ୍ର ୨୬ ବର୍ଷ ବୟସରେ ସାଂସଦ ହୋଇଥିଲେ । ସେ ଜୋନପୁରର ମଛଲିସହର ଲୋକସଭା ସିଟରୁ ସପାର ସାଂସଦ ଅଛନ୍ତି । ଅନ୍ୟପଟେ ନିଜର ଦମଦାର ବ୍ୟାଟିଂ ପାଇଁ ପ୍ରସିଦ୍ଧ ରିଙ୍କୁ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୨ ଟି ୱାନ୍ ଡେ ଏବଂ ୩୩ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ।