କନକ ବ୍ୟୁରୋ : ଓଡିଆ ସିନେମା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ମହାମହିମ ଦେଖିଲେ ମହାପ୍ରଭୁଙ୍କ ନବକଳେବରର କାହାଣୀ । ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର କଲଚୁରାଲ ସେଣ୍ଟରରେ ସିନେମା ଦେଖିଲେ ମହାମହିମ । ଏହି ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିନୀତି ଉପରେ ଆଧାରିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ସହ ସିନେମା ଦେଖିଥିଲେ ପୂରା ନବକଳେବର ଟିମ୍ । ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଚଳଚ୍ଚିତ୍ରର କଳାକାରମାନେ ଏବଂ ଅନ୍ୟ ସଦସ୍ୟ ସାମିଲ ଥିଲେ । ରଥଯାତ୍ରା ସମୟରେ ବହୁ ପ୍ରତୀକ୍ଷା ଅନ୍ତ ଘଟାଇ ରିଲିଜ ହୋଇଥିଲା ସିନେମା ଶ୍ରୀ ଜଗନ୍ନାଥଙ୍କ ନବକଳେବର । ଏହି ଅବସରରେ ମହାପ୍ରଭୁଙ୍କ ଲୀଳା ଦେଖିବାର ସୁଯୋଗ ପାଇଥିଲେ ଜଗନ୍ନାଥପ୍ରେମୀ । ତେବେ ଏହି ସିନେମା ଜରିଆରେ ଦାରୁ ବିଗ୍ରହଙ୍କ ବ୍ରହ୍ମ ପରିବର୍ତ୍ତନ ଓ କଳାପାହାଡ଼କୁ ନେଇ ଲିଖିତ ଇତିହାସକୁ ପାଖରୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଆଗାମୀ ପିଢ଼ି ନିକଟରେ ଏସବୁକୁ ସନ୍ତକ ଭାବେ ରଖିବାର ଲକ୍ଷ୍ୟ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା କହିଛନ୍ତି ପ୍ରଯୋଜିକା ତଥା ନିର୍ଦ୍ଦେଶକ ବିନି ସାମଲ । 

Advertisment

ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟି ଷ୍ଟାର କାଷ୍ଟ ରହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଅଶ୍ରୁମୋଚନ, ଶ୍ରୀତମ ଦାସ, ଜ୍ୟୋତିରଞ୍ଜନ ନାୟକ, ପିଙ୍କି ପ୍ରଧାନ ଶିବାନୀଙ୍କ ସମେତ ଆହୁରି ଅନେକ କଳାକାର କାମ କରିଥିବା ବେଳେ ସିନେମାଟି ଓଡିଶାରେ ବେଶ୍ ପ୍ରଶଂସା ସାଉଁଟୁଛି । ଏମିତିକି ସିନେମା ଦେଖି ପ୍ରେକ୍ଷାଳୟରେ ଦର୍ଶକ ଭାବବିହ୍ବଳ ହୋଇଥିବାରୁ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା ।