କନକ ବ୍ୟୁରୋ : ପରଲୋକରେ ସାଉଥ୍ ସିନେମାର ଖଳନାୟକ । ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ତାଙ୍କ ଦେହାନ୍ତ ଖବର ପାଇଁ ସମଗ୍ର ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଅଭିନେତା ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲ । କୋଟା ଶ୍ରୀନିବାସଙ୍କ ମୃତ୍ୟୁ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, 'ନିଜର ବହୁମୁଖୀ ଭୂମିକାରେ ନଜର ଆସି ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ । ତାଙ୍କ ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି । ୧୯୯୯ ମସିହାରେ ସେ ବିଜୟୱାଡାରୁ ବିଧାୟକ ଭାବରେ ଜିତି ଜନସାଧାରଣଙ୍କ ସେବା କରିଥିଲେ । ମୁଁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।'
/filters:format(webp)/kanak/media/media_files/2025/07/14/kota_srinivasa_rao-2025-07-14-15-09-27.jpg)
କୋଟା ଶ୍ରୀନିବାସ ରାଓ ଦକ୍ଷିଣ ଚଳଚ୍ଚିତ୍ରରେ ଏକ ଲୋକପ୍ରିୟ ନାମ ଥିଲେ । ୧୯୭୮ ମସିହାରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ପ୍ରାଣମ ଖରିଦୁ' । ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ ଏବଂ ତାଙ୍କ ୪୦ ବର୍ଷର ଦୀର୍ଘ କ୍ୟାରିଅରରେ ପ୍ରାୟ ୭୫୦ଟି ଚଳଚ୍ଚିତ୍ରରେ କାମ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଶ୍ରୀନିବାସ ରାଓ ଚଳଚ୍ଚିତ୍ରରେ ଖଳନାୟକଙ୍କଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କର ଉଲ୍ଲେଖନୀୟ କାମ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତେଲୁଗୁ ବ୍ୟତୀତ ଏହି ଅଭିନେତା ହିନ୍ଦୀ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ ।