କନକ ବ୍ୟୁରୋ : ‘କାଣ୍ଟା ଲଗା’ ଗୀତରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ୪୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତ୍ରୀ । ସୂତ୍ର ମୁତାବକ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା ଅଭିନେତ୍ରୀଙ୍କୁ ଗତକାଲି ରାତି ପାଖାପାଖି ୧୧ ଟା ବେଳକୁ ଅସୁସ୍ଥ ହେଲା ପରି ଅନୁଭବ ହେଲା । ଛାତିରେ ଯନ୍ତ୍ରଣା ହେବା କାରଣରୁ ସ୍ବାମୀ ପରାଗ ତ୍ୟାଗି ଶେଫାଳିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର୍ଡିଆକ୍ ଆରେଷ୍ଟ୍ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି ଡାକ୍ତର । ଅଭିନେତ୍ରୀଙ୍କ ଶବକୁ କୁପର୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।
ତେବେ ଅଭିନେତ୍ରୀଙ୍କ ବିୟୋଗରେ ଉଭୟ ବଲିଉଡ୍ ଏବଂ ହିନ୍ଦୀ ଟେଲି ଜଗତ ଶୋକର ସାଗରରେ ବୁଡ଼ି ରହିଛି । ଶେଫାଳିଙ୍କ ସ୍ବାମୀ ପରାଗ ତ୍ୟାଗି ପତ୍ନୀଙ୍କ ବିୟୋଗକୁ ବର୍ତ୍ତମାନ ସୁଦ୍ଧା ବିଶ୍ବାସ କରିପାରୁନାହାନ୍ତି । ୨୦୦୨ ରେ ଆଶା ପାରେଖଙ୍କ ମ୍ୟୁଜିକ୍ ଭିଡ଼ିଓ କାଣ୍ଟା ଲଗାରେ ସେ ନଜର ଆସିଥିଲେ ଏବଂ ଦର୍ଶକଙ୍କ ମନରେ ନିଜ ପ୍ରତି ନିଆରା ଛାପ ଛାଡ଼ିଥିଲେ ଅଭିନେତ୍ରୀ ଶେଫାଳି ଜରିୱାଲା । ସେ ସଲମାନ ଖାନଙ୍କ ଲୋକପ୍ରିୟ ସୋ’ ବିଗବସ୍ ୧୩ ରେ ମଧ୍ୟ ନଜର ଆସିଥିଲେ । ଏହା ପୂର୍ବରୁ ସେ ଅନେକ ସିନେମାରେ ମଧ୍ୟ ନଜର ଆସିଛନ୍ତି ।