କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଛି । ବିଦେଶ ଯିବାକୁ ଚାହୁଥିବାବେଳେ ତା ପୂର୍ବରୁ ତାଙ୍କୁ ୬୦ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏପରିକି କୋର୍ଟ ତାଙ୍କ ବିଦେଶଗସ୍ତ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଜାରି ହୋଇଥିବା ଲୁକଆଉଟ୍ ସର୍କୁଲାର ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଶିଳ୍ପା ।
ବଡ଼କଥା ହେଉଛି, ୬୦ କୋଟି ଠକେଇ ମାମଲା ସହିତ ଜଡ଼ିତ ଥିବାରୁ ଶିଳ୍ପା ଏବଂ ରାଜଙ୍କ ବିରୁଦ୍ଧରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହି ମାମଲାରେ ଏକ ଏଫଆଇଆର ପରେ ସେମାନଙ୍କ ବିରୁଦ୍ଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ହାଇକୋର୍ଟ ।
ସୂଚନା ମୁତାବକ, ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ତଥା EOW ଦ୍ୱାରା ଏହି ଷ୍ଟାର୍ କପୁଲଙ୍କ ଠକେଇ ମାମଲାର ତଦନ୍ତ କରୁଛି । ମୁମ୍ବାଇର ଜଣେ ୬୦ ବର୍ଷୀୟ ବ୍ୟବସାୟୀ ଏବଂ ଲୋଟସ୍ କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ର ନିର୍ଦ୍ଦେଶକ ଦୀପକ କୋଠାରୀ ରାଜ ଏବଂ ଶିଳ୍ପାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲେ, ଯାହା ପରେ EOW ତଦନ୍ତ ଆରମ୍ଭ କରିଥିଲା । ଇଓଡବ୍ଲୁ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ପ୍ରାୟ ସାଢ଼େ ୫ରୁ୬ ଘଣ୍ଟା ଧରି ପଚରାଉଚରା କରିଥିଲା । ଦୀପକ କୋଠାରୀଙ୍କ ଅଭିଯୋଗ ୨୦୧୫ ରୁ ୨୦୨୩ ମଧ୍ୟରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ନିଜ ବ୍ୟବସାୟକୁ ବଢ଼ାଇବା ତାଙ୍କଠାରୁ ଟଙ୍କା ନେଇଥିଲେ । କିନ୍ତୁ ଏହାକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରିଥିଲେ । ସେ କହିଛନ୍ତି ଯେ ୨୦୧୫ରେ ଶିଳ୍ପା ଏବଂ ରାଜ ୭୫ କୋଟି ଟଙ୍କାର ଋଣ ପାଇଁ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ତାଙ୍କ ପାଖକୁ ଯାଇଥିଲେ । ଏହି ଋଣ ତାଙ୍କ କମ୍ପାନି, ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ପାଇଁ ଥିଲା, ଯାହା ଲାଇଫ ଷ୍ଟାଇଲ୍ ପ୍ରଡକ୍ଟ ବିକ୍ରି କରୁଥିଲା । ଏହା ସହ ଏକ ଅନଲାଇନ୍ ସପିଂ ପ୍ଲାଟଫର୍ମ ମଧ୍ୟ ପରିଚାଳନା କରୁଥିଲେ ।
କୋଠାରୀ ଦାବି କରିଛନ୍ତି, ଋଣ ପାଇଁ ୧୨ ପ୍ରତିଶତ ସୁଧ ହାରରେ ସହମତି ହୋଇଥିଲା । ପରେ ଶିଳ୍ପା ଏବଂ ରାଜ ତାଙ୍କୁ ଏହାକୁ ଋଣ ନୁହେଁ ବରଂ ଏକ ‘ନିବେଶ’ ଭାବରେ ବ୍ୟବହାର କରିବାକୁ କହିଥିଲେ ଏବଂ ମାସିକ ରିଟର୍ଣ୍ଣ ଏବଂ ମୂଳ ପରିଶୋଧର ପ୍ରତିଶ୍ରୁତି ଦେଇଥିଲେ । ତେବେ ପରେ ତାଙ୍କୁ ଜଣାପଡିଥିଲା ଅନ୍ୟଜଣେ ଇନଭେଷ୍ଟର ସହ ଠକେଇ ପାଇଁ କମ୍ପାନି ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଥିଲା । ଏହା ଦେଖି ୨୦୧୬ରେ ଶିଳ୍ପା ସେଟ୍ଟୀ ବେଷ୍ଟ ଡିଲ୍ ଟିଭିର ନିର୍ଦ୍ଦେଶକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏପଟେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ଅଭିଯୋଗଗୁଡ଼ିକୁ ଭିତ୍ତିହୀନ । ଶିଳ୍ପାଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ସେମାନେ ତଦନ୍ତ ଏଜେନ୍ସିଗୁଡିକ ସମ୍ମୁଖରେ ଘଟଣାର ସେମାନଙ୍କର ସବୁ ତଥ୍ୟ ଦାଖଲ କରିବେ ।