କନକ ବ୍ୟୁରୋ : ୯୦ ଦଶକରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଏବଂ ଐଶ୍ବର୍ଯ୍ୟା ରାୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । ଦୁହିଁଙ୍କ ଅଭିନିତ ସିନେମା ‘ହମ୍ ଦିଲ୍ ଦେ ଛୁକେ ସନମ୍’,‘ହମ୍ ତୁମହାରେ ହେ ସନମ୍’ ଏବଂ ‘ଢାଇ ଅକ୍ଷର୍ ପ୍ରେମ କେ’ ରେ ଦୁହେଁ ଏକାଠି ନଜର ଆସିଥିଲେ । ସ୍ବଳ୍ପ ସିନେମାରେ ନଜର ଆସିଥିଲେ ହେଁ ଦୁହେଁ ଯେତେବେଳେ ସ୍କ୍ରିନକୁ ଆସୁଥିଲେ ଦର୍ଶକ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ । ସିନେମାରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଥିଲା । ସିନେମାରୁ , ବନ୍ଧୁତା , ବନ୍ଧୁତାରୁ ପ୍ରେମ ଏବଂ ବ୍ରେକଅପ୍ ସବୁଥିରେ ଚର୍ଚ୍ଚାରେ ରହିଥିଲେ ଏହି ଯୋଡ଼ି । ବଲିଉଡ୍ ଇଣ୍ଡଷ୍ଟ୍ରିର କୋଣ କୋଣ ଦୁହିଁଙ୍କ ପ୍ରେମ ଏବଂ ବ୍ରେକଅପର ସାକ୍ଷୀ ଥିଲା । ତେବେ ଅନେକ ବର୍ଷ ପରେ ଲେଖକ ତଥା ସାମ୍ବାଦିକ ହନିଫ୍ ଜାବେରୀ କହିଥିଲେ ଯେ ସଲମାନ ଏବଂ ଐଶ୍ବର୍ଯ୍ୟା କାହିଁକି ବିବାହ ବନ୍ଧନରେ ବାନ୍ଧି ହୋଇ ପାରିନଥିଲେ । 

Advertisment
Sallu-Aish
Sallu-Aish Photograph: (google)

ଏକ ସାକ୍ଷାତକାରରେ ହନିଫ୍ ଜାବେରୀ ଏନେଇ ମୁହଁ ଖୋଲିଥିଲେ । ସେ କହିଥିଲେ , ସଲମାନ ଏବଂ ଐଶ୍ବର୍ଯ୍ୟା ଦୁହେଁ ସିରିୟସ୍ ରିଲେସନସିପ୍ ରେ ଥିଲେ ଏବଂ ବିବାହ କରିବାକୁ ମଧ୍ୟ ଚାହୁଥିଲେ । କିନ୍ତୁ ସଲମାନଙ୍କ ଉପରେ ଅନ୍ୟ ହିରୋଇନଙ୍କ ଲେବଲ୍ ଲାଗିଥିଲା । ସୋମି ଅଲ୍ଲି, ସଙ୍ଗୀତା ବିଜଲାନୀଙ୍କ ଭଳି ହିରୋଇନଙ୍କ ସହ ସଲମାନଙ୍କ ସମ୍ବନ୍ଧ ଥିଲା ଯେଉଁ କାରଣରୁ ଐଶ୍ବର୍ଯ୍ୟାଙ୍କ ବାପା,ମା’ ଏହାକୁ ନେଇ ବିରକ୍ତିଭାବ ପ୍ରକାଶ କରୁଥିଲେ । ସେମାନେ ଭାବୁଥିଲେ ଯେ ସଲମାନ ଐଶ୍ବର୍ଯ୍ୟାଙ୍କ ସହ ଫ୍ଲର୍ଟ କରୁଛନ୍ତି ଏବଂ ବିବାହ କରିବେ ନାହିଁ । କିନ୍ତୁ କଥା ଓଲଟା ଥିଲା ସଲମାନ ବିବାହ କରିବାକୁ ଚାହୁଥିଲେ କିନ୍ତୁ ଐଶ୍ବର୍ଯ୍ୟା କ୍ୟାରିୟରର ଟପ୍ ରେ ଥାଇ ଏତେ ଶୀଘ୍ର ବିବାହ କରିବାକୁ ଚାହୁନଥିଲେ । ଏଭଳି ସ୍ଥିତିରେ ଦୁହିଁଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହୁଥିଲା । ଥରେ ସଲମାନ ଐଶ୍ବର୍ଯ୍ୟାଙ୍କ ଘରକୁ ଯାଇ ଜୋର୍ ଜୋରରେ କବାଟ ପିଟିବା ସହ ପାଟିତୁଣ୍ଡ କରିଥିଲେ । ଏଥିରେ ଐଶ୍ବର୍ଯ୍ୟାଙ୍କ ପଡ଼ୋଶୀ ବିରକ୍ତ ହେବା ସହ ବିଭିନ୍ନ ମିଡିଆରେ ଇଣ୍ଟରଭ୍ୟୁ ମଧ୍ୟ ଦେଇଥିଲେ । ଯାହା ଐଶ୍ବର୍ଯ୍ୟାଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ  ଏବଂ ସେ ଏଭଳି ସଂପର୍କରୁ ଦୂରେଇ ଯିବା ଠିକ୍ ଭାବିଲେ । 

Salman
Salman Photograph: (google)

ତେବେ ୧୯୯୯ ମସିହାରେ ଦୁହେଁ ସଂଜୟ ଲୀଲା ବଂଶାଲିଙ୍କ ସିନେମା ‘ହମ୍ ଦିଲ୍ ଦେ ଛୁକେ ସନମ୍’ ରୁ ପ୍ରେମ ସଂପର୍କରେ ଆସିଥିଲେ । କିନ୍ତୁ ସଲମାନଙ୍କ ଅପମାନଜନକ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ୨୦୦୨ ରେ ଐଶ୍ବର୍ଯ୍ୟା ବ୍ରେକଅପ୍ କରିଥିଲେ ଏବଂ ୨୦୦୭ ରେ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ବିବାହ କରିଥିଲେ । ଐଶ୍ବର୍ଯ୍ୟାଙ୍କ ପରେ ପରେ କ୍ୟାଟ୍ରିନା କୈଫ୍ ଏବଂ ଅନ୍ୟ ଅଭିନେତ୍ରୀଙ୍କ ସହ ସଲମାନଙ୍କ ନାଁକୁ ଯୋଡ଼ା ଯାଇଥିଲା ।