କନକ ବ୍ୟୁରୋ: ଅଶୁଭ ଅକ୍ଟୋବରରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସିବାରେ ଲାଗିଛି । ଗତ ୧୦ ଦିନ ଭିତରେ ବଲିଉଡ ଇଣ୍ଡଷ୍ଟ୍ରିର ୩ ଜଣ ଜଣାଶୁଣା ସେଲିବ୍ରିଟି ଆଖି ବୁଜିଲେଣି । ଯାହାକୁ ନେଇ ଏବେ ସୁନେଲୀ ଦୁନିଆରେ ଖେଳିଯାଇଛି ଶୋକର ଛାୟା । 

Advertisment

ନିଜ କମିକ୍ ଏକ୍ସପ୍ରେସନ ଜରିଆରେ ସମସ୍ତଙ୍କୁ ହସାଉଥିବା ସତୀଶ ଶାହ ଆମକୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି । କିଡନି ଜନିତ ରୋଗରେ କିଛି ବର୍ଷ ହେବ ସେ ଜୀବନ-ମରଣ ସହ ଲଢ଼େଇ କରୁଥିଲେ । ଏପରିକି ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କର କିଡନି ମଧ୍ୟ ପ୍ରତିରୋପଣ କରାଯାଇଥିଲା । ହେଲେ ସବୁବେଳେ ହସାଉଥିବା ଲୋକ ହସ୍ପିଟାଲ ବେଡରେ ହାରିଗଲେ । ଆରପାରିକୁ ଚାଲିଯାଇଛନ୍ତି ଏହି ଭେଟେରାନ୍ କଳାକାର ।

ଅଧିକ ପଢ଼ନ୍ତୁ--ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ଚାଷୀ ; ତରବରିଆ ଭାବେ କାଟି ନେଉଛନ୍ତି ଧାନ

ଗତ ୧୫ ତାରିଖରେ ଲୋକପ୍ରିୟ ଅଭିନେତା ତଥା ମହାଭାରତ ଧାରାବାହିକର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଥିଲା । କିଛି ବର୍ଷ ଧରି କର୍କଟ ରୋଗରେ ଜୀବନ-ମୃତ୍ୟୁ ସହ ଯୁଦ୍ଧ କରିଚାଲିଥିଲେ ପଙ୍କଜ ଧୀର୍ । ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ନିଜର ଯାଦୁ ଦେଖାଇଥିଲେ ସେ । 

ପଙ୍କଜଙ୍କ ଦେହାନ୍ତର ଦୁଃଖ ଭିତରୁ ଫ୍ୟାନ୍ସମାନେ ବାହାରିନଥିବା ବେଳେ ଦୀପାବଳିର ଆଲୋକ ଭିତରେ ବଲିଉଡରୁ ଆସିଥିଲା ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା କମେଡି କିଙ୍ଗ୍ ଗୋବର୍ଦ୍ଧନ ଅସରାନିଙ୍କ ଦେହାନ୍ତ ପୂରା ସିନେ ଦୁନିଆକୁ ସବ୍ଧ କରିଦେଲା ।

ବଲିଉଡରୁ ଜଣକ ପରେ ଜଣେ ଦିଗଜ୍ଜ କଳାକାରଙ୍କ ଦେହାନ୍ତ ଖବର ଖାଲି ସୁନେଲୀ ପରଦା ନୁହେଁ ବରଂ ସମସ୍ତ ଫ୍ୟାନ୍ସଙ୍କ ହୃଦୟକୁ ଆଘାତ ଦେଇଛି । କିଏ ହୃଦଘାତରେ ତ କିଏ କ୍ୟାନ୍ସର ଆଉ କିଏ କିଡନି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି । ସୋସିଆଲ ମିଡିଆରେ ସିନେପ୍ରେମୀ ଦୁଃଖ ପ୍ରକାଶ କରିବା ସହ କହୁଛନ୍ତି ଏବେ ବଲିଉଡକୁ ବୋଧେ କାହା ନଜର ଲାଗିଯାଇଛି ।