କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବିବାଦ ଭିତରେ ଖୁବ୍ କମ୍ ଆସନ୍ତି । ହେଲେ ଏବେ ଏମିତି କ’ଣ ହେଲା ଯେ କଳ୍କୀ-ପାର୍ଟରୁ ବାଦ୍ ପଡ଼ିଛନ୍ତି ଦୀପିକା ପାଦୁକୋନ୍ । ଏନେଇ ଏକ୍ସରେ ପୋଷ୍ଟ କରି ଫିଲ୍ମ ନିର୍ମାତା ଘୋଷଣା କରିବା ପରଠୁ ହିଁ ଆରମ୍ଭ ହୋଇଛି ବିବାଦ । ଖାଲି କଳ୍କୀ ପାର୍ଟ-୨ ନୁହେଁ ଏକା ସାଙ୍ଗରେ ପ୍ରଭାସଙ୍କ ଅପ୍ କମିଙ୍ଗ୍ ଫିଲ୍‌ମ ସ୍ପିରିଟରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଦୀପିକା । ଆଉ ଏହା ପଛରେ କାହାର ହାତ ରହିଛି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

କୁହାଯାଉଛି ଯେ ଦୁଇଟି ଯାକ ଫିଲ୍ମରେ ପ୍ରଭାସ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ଦୀପିକାଙ୍କୁ ବାହାର କରିବା ପଛରେ ତାଙ୍କର ହାତ ରହିଛି । ଦୀପିକା ପାଦୁକୋନଙ୍କ କିଛି ପ୍ରଶଂସକ ଅଭିନେତ୍ରୀଙ୍କୁ ଦୁଇଟି ବଡ଼ ପ୍ରୋଜେକ୍ଟରୁ ବାହାର କରିବା ପଛରେ ପ୍ରଭାସଙ୍କ ଭୂମିକା ଥିବା ନେଇ ସନ୍ଦେହ କରୁଛନ୍ତି । ପ୍ରଶଂସକମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଯଦି ପ୍ରଭାସ ହସ୍ତକ୍ଷେପ କରିଥାନ୍ତେ, ତେବେ ନିର୍ମାତାମାନେ ଦୀପିକାଙ୍କୁ ଚଳଚ୍ଚିତ୍ରରୁ ବାହାର କରିନଥାନ୍ତେ । ହେଲେ ହସ୍ତକ୍ଷେପ ନକରି ପ୍ରଭାସ ପରୋକ୍ଷରେ ଦୀପିକାଙ୍କୁ ଚଳଚ୍ଚିତ୍ରରୁ ବାହାର କରିବାର ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ଉଭୟ ଫିଲ୍ମରୁ ଆଉଟ୍ କରିଦିଆଗଲା । 

କିଛିଦିନ ତଳେ "କଳ୍କୀ ୨୮୯୮ ଏଡି" ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, ଦୀପିକା ପାଦୁକୋନ ଫିଲ୍ମ "କଳ୍କୀ ସିକ୍ୱେଲ୍‌ର ଅଂଶ ହେବେ ନାହିଁ । ବହୁତ ବିଚାର ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଥମ ଫିଲ୍ମର ଦୀର୍ଘ ଯାତ୍ରା ସତ୍ତ୍ୱେ ଆମେ ଦୀପିକାଙ୍କ ସହଭାଗୀତା ପାଇଲୁ ନାହିଁ । ଏବଂ "କଳ୍କୀ ପାର୍ଟ-୨ ଭଳି ଏକ ଫିଲ୍ମ ଅଧିକ ପ୍ରତିବଦ୍ଧତା ପାଇବାକୁ ଯୋଗ୍ୟ । ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ ।"

ନିର୍ମାତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ ନିର୍ମାତାମାନେ ଦୀପିକାଙ୍କ ଉପରେ ଅସନ୍ତୋଷ ଥିଲେ । ଯେଉଁ କାରଣରୁ ତାଙ୍କୁ ଆଗାମୀ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି । ଏତିକି ବେଳେ କଳ୍କୀ ନିର୍ଦ୍ଦେଶକ ନାଗ ଅଶ୍ବିନ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ କଟାକ୍ଷ ପୂର୍ଣ୍ଣ ଷ୍ଟୋରୀ ଦେଇଛନ୍ତି ଯାହା ଦୀପିକାଙ୍କ ଆକ୍ଷେପ କରାଯାଉଥିବା ଦୀପିକାଙ୍କ ଫ୍ୟାନ୍ସ କହୁଛନ୍ତି ।

ଖାଲି ଏତିକି ନୁହେଁ ଏହା ପୂର୍ବରୁ, ଦୀପିକା ପାଦୁକୋନଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ "ସ୍ପିରିଟ୍"ରୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବାହାର କରିଥିଲେ । ସେ କହିଥିଲେ ଯେ, ଦୀପିକା ଅନେକ ଦାବି କରିଥିଲେ ଯାହା ନିର୍ମାତାଙ୍କୁ ପସନ୍ଦ ଆସିନଥିଲା, ଯେଉଁଥିରେ ୮ଘଣ୍ଟାର ସିଫ୍ଟ ମଧ୍ୟ ସାମିଲ ଥିଲା । ତେଣୁ ତାଙ୍କର ଏଭଳି ଦାବି ମାନିବା ଅପେକ୍ଷା ତାଙ୍କୁ ଫିଲ୍ମରୁ ବାହାର କରିଦେବା ଭଲ ବୋଲି ବିଚାର କରାଗଲା । ଏବେ ସାଉଥ୍ ଇଣ୍ଡଷ୍ଟ୍ରୀରେ ଦୀପିକାଙ୍କ ନେଇ କୁହୁଳିଥିବା ବାରୁଦ ଆଗକୁ କେଉଁ ରୂପ ନେବ ତାହା ଆକଳନ କରିବା ମୁସ୍କିଲ୍ ।