କନକ ବ୍ୟୁରୋ: ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ମୃତ୍ୟୁକୁ ନେଇ ଏବେ ଭାରି ଚର୍ଚ୍ଚା । ହଠାତ୍‌ ଜାତୀୟ ଗଣମାଧ୍ୟମରେ ଏହି ଖବରକୁ ନେଇ ଭାରି ଚର୍ଚ୍ଚା ହେଲା । ହେଲେ ଆଶାଙ୍କ ପୁଅ ଏନେଇ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ମୋ ମା’ ଜୀବିତ ଅଛନ୍ତି । ସୋସିଆଲ ମିଡିଆରେ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ଏଭଳି ସଫେଇ ଦେଲେ ପୁଅ ଆନନ୍ଦ ଭୋସଲେ । ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନେକ ଶ୍ରଦ୍ଧାଞ୍ଜଳି ଦେବା ବି ଆରମ୍ଭ କରିଥିଲେ । ଏସବୁ ଚର୍ଚ୍ଚାକୁ ଦେଖି ତାଙ୍କ ପୁଅ ସ୍ପଷ୍ଟୀକରଣ ଦେଇଛନ୍ତି  ଏବଂ ସବୁ ଚର୍ଚ୍ଚାର ଅନ୍ତ କରିଛନ୍ତି ।  

Advertisment

ସୂଚନା ଅନୁସାରେ, ଶବାନା ଶେଖ୍‌ ନାମକ ଜଣେ ଫେସବୁକ୍ ବ୍ୟବହାରକାରୀ ଭୋସଲେଙ୍କ ମାଳା ପିନ୍ଧା ଫଟୋ ସହିତ ତାଙ୍କ ମୃତ୍ୟୁ ‌ହୋଇଥିବା ଲେଖିଥିଲେ । ମାଳ ପିନ୍ଧା ଫଟୋ ସହିତ କ୍ୟାପସନରେ ସେ ଲେଖିଥିଲେ, "ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ମୃତ୍ୟୁ ହୋଇଛି । ଏକ ଯୁଗରୁ ଅନ୍ତ ଘଟିଛି(୧୧ ଜୁଲାଇ ୨୦୨୫)"। ତାଙ୍କର ଏହି ପୋଷ୍ଟ ପରେ ଆଶାଙ୍କ ପ୍ରଶଂସକଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା । ହଠାତ୍ ଏଭଳି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଭଳି ପ୍ରଶଂସକଙ୍କୁ ଦୁଃଖିତ ଦେଖି ଆଶାଙ୍କ ପୁଅ ତୁରନ୍ତ ଏହି ଖବରଟି ମିଛ ବୋଲି ସ୍ପଷ୍ଟ କରିଛନ୍ତି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ସ୍ବର୍ଗତ ଲତାଙ୍କ ଭଉଣୀ ଆଶା । ଅନେକ ଭାଷାରେ ସେ ଗୀତ ବି ଗାଇଛନ୍ତି। ହେଲେ ଜଣେ ଲୋକପ୍ରିୟ କଳାକାରଙ୍କୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ କେମିତି ଏମିତି ପୋଷ୍ଟ କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏହା ଘଟଣାରେ ଆଶାଙ୍କ ପୁଅ ସ୍ପଷ୍ଟ କରିବା ପରେ ଚର୍ଚ୍ଚାର ଅନ୍ତ ହୋଇଛି ।