କନକ ବ୍ୟୁରୋ : ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁର କାରଣ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ବୟସର ଛାପ କମ୍ କରିବାକୁ ଓ ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ଶେଫାଳୀ ନେଉଥିବା ଇଞ୍ଜେକସନ ତାଙ୍କ ମୃତ୍ୟୁ କାରଣ ବୋଲି କୁହାଯାଉଛି ।

Advertisment

ଜୁନ ୨୭ ତାରିଖ ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଅଭିନେତ୍ରୀ ଶେଫାଳୀ ଜରିୱାଲା । ରାତି ୧୦ଟାରୁ ୧୨ଟା ଭିତରେ ଦେହ ଅଧିକ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁର ପଛର କାରଣ ଆଣ୍ଟି ଏଜିଂ ବା ଚେହେରାରେ ବୟସର ଛାପ କମ୍ କରିବା ପାଇଁ ନିଆଯାଉଥିବା ଇଞ୍ଜେକସନ ହୋଇଥାଇପାରେ ବୋଲି ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏଦିଗରୁ ମଧ୍ୟ ଯାଞ୍ଚ କରୁଛି ପୁଲିସ ।

ମୃତ୍ୟୁର କାରଣ ଇଞ୍ଜେକ୍ସନ୍‌ ! ଶେଫାଳୀ କେଉଁ ଡାକ୍ତରଙ୍କ ପାଖରେ ସ୍କ୍ରିନ୍ ଟ୍ରିଟମେଣ୍ଟ କରୁଥିଲେ ? କେଉଁ ପ୍ରକାର ଔଷଧ ଓ ଇଞ୍ଜେକ୍ସନ୍‌ ନେଉଥିଲେ ? ପୂର୍ବରୁ ଇଞ୍ଜେକ୍ସନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା କି ? ଘଟଣା ଦିନ କାହିଁକି ଖାଲି ପେଟରେ ଇଞ୍ଜେକ୍ସନ୍‌ ନେଇଥିଲେ ? ଡାକ୍ତରଙ୍କ ପରାମର୍ଶ ନେଉଥିଲେ ନା ନାହିଁ ?

ଜୁନ୍ ୨୭ ତାରିଖରେ ହଠାତ୍ ଶେଫାଳୀଙ୍କ ଛାତିରେ ଯନ୍ତ୍ରଣା ସହ ରକ୍ତଚାପ ମଧ୍ୟ କମିଥିବା ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି । ଶେଫାଳୀଙ୍କ ଘରୁ ଅନେକ ପ୍ରକାର ଔଷଧ ଓ ଇଞ୍ଜେକ୍ସନ ପାଇଛି ପୁଲିସ । ପୁଲିସ ଅନ୍ୟ କିଛି ଦିଗରୁ ମଧ୍ୟ ତଦନ୍ତ କରୁଛି । ମଡେଲିଂ, ସିନେମା ଏବଂ ମ୍ୟୁଜିକ ଭିଡିଓରେ ନିଜର ନିଆରା ପରିଚୟ ବନାଇଥିବା ଶେଫାଳୀ କାଣ୍ଟା ଲଗା ଗର୍ଲ ଭାବେ ବେଶ ଜଣାଶୁଣା ଥିଲେ । ମାତ୍ର ୪୨ବର୍ଷ ବୟସରେ ତାଙ୍କ ପରଲୋକ ମନୋରଞ୍ଜନ ଜଗତକୁ ସ୍ତବ୍ଧ କରିଦେଇଛି । କମ୍ ବୟସରେ ହୃଦଘାତରେ ଅନେକ କଳାକାରଙ୍କ ମୃତ୍ୟୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି । ସିଦ୍ଧାର୍ଥ ଶୁକ୍ଲା, ସଞ୍ଜୟ କପୁର, ପୁନୀତ ରାଜକୁମାର, କଣ୍ଠଶିଳ୍ପୀ କେ.କେ, ନିର୍ଦ୍ଦେଶକ ରାଜକୌଶଳ, ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ, ଚିରଞ୍ଜୀବ ସରଜାଙ୍କ ମଧ୍ୟ ଅକାଳ ବିୟୋଗ ହୋଇଥିଲା ।