କନକ ବ୍ୟୁରୋ: ଅଭିନେତ୍ରୀ ଦିଶା ପାଟନୀଙ୍କ ବରେଲି ଘର ଉପରେ ଗୁଳିମାଡ଼ କରିଥିବା ଦୁଇ ସୁଟରଙ୍କୁ ଏନକାଉଣ୍ଟର ପରେ ରକ୍ତମୁଖା ହୋଇପଡ଼ିଛି ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା । ସୁଟରଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଧମକ ଦେଇଛି । ଏନକାଉଣ୍ଟରରେ ଟଳିଛନ୍ତି ସୁଟର ଅରୁଣ ଓ ରବୀନ୍ଦ୍ର । ବୁଧବାର ଏମାନଙ୍କୁ ମାରିଛି ହରିୟାଣା ଓ ଦିଲ୍ଲୀ ପୁଲିସର ମିଳିତ ଟିମ୍ । ନିକଟରେ ବରେଲି ସ୍ଥିତ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରୁ ଗୁଳିମାଡ଼ କରି ଉଭୟ ଫେରାର ଥିଲେ । ଘଟଣାର ଠିକ ୫ଦିନ ପରେ ପୁଲିସ ଉଭୟଙ୍କୁ ସଫା କରିଛି ।
ସେପଟେ ପୁଲିସକୁ ଚକମା ଦେଇ ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ମନରେ କୁହୁଲାଣି ପ୍ରତିଶୋଧର ନିଆଁ । ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ଚଉଡ଼ା ପୋଷ୍ଟ କରି ସୁଟରଙ୍କ ମୃତ୍ୟୁର ଗୋଟି ଗୋଟି ହିସାବ ନିଆଯିବ ବୋଲି ଧମକ ଦେଇଛି ରୋହିତ ଗୋଦରା । ଗ୍ୟାଙ୍ଗଷ୍ଟର କହିଛି ସନାତନ ଧର୍ମ ନାଁରେ ରାଜନୀତି କରାଯାଉଛି । ସନାତନ ଧର୍ମର ରକ୍ଷା ପାଇଁ ଲଢ଼ୁଥିବା ଭାଇଙ୍କୁ ହତ୍ୟା କରାଯାଉଛି । ଉଭୟ ସୁଟର ଜୀବନ ଦେଇ ସହିଦ ହୋଇଛନ୍ତି । ଏମାନଙ୍କ ହତ୍ୟା ପଛରେ ଯାହାର ବି ହାତ ରହିଛି ତା’ଠାରୁ ସ୍ବପ୍ନଠୁ ବି ଭୟଙ୍କର ପ୍ରତିଶୋଧ ନିଆଯିବ ।
ପୁଲିସର ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୧ ଓ ୧୨ ଭୋରୁ ଦୁଇଦିନ ଦିଶାଙ୍କ ବରେଲୀ ଘର ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ ସୁଟର । ଏହା ପୂର୍ବରୁ ଘରକୁ ପୂରା ରେକି କରିଥିଲେ ।ଘଟଣାସ୍ଥଳରୁ ୨ କିଲୋମିଟର ଦୂରରେ ଥିବା ଏକ ହୋଟେଲରେ ରହି ଆକ୍ରମଣ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ତିଆରି କରିଥିଲେ ୪ଜଣ ସୁଟର । ଗ୍ୟାଙ୍ଗଷ୍ଟର ଗୋଦରାର ନିର୍ଦ୍ଦେଶ ମିଳିବା ପରେ ଗୁଳିମାଡ଼ କରିଥିଲେ । ତେବେ ଅପରାଧୀଙ୍କୁ କଠୋର ଶାସ୍ତି ଦେବାକୁ ୟୁପି ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବାସ ଏହାପରଠୁ ସୁଟରଙ୍କୁ ଖୋଜିବାକୁ ଗଠନ କରାଯାଇଥିଲା ୧୦ ଜଣିଆ ଟିମ୍ । ମୋଟ ୧୩୨୦ ସିସିଟିଭି ଛାନଭିନ ପରେ ଶେଷରେ ମିଳିଥିଲା ଅପରାଧୀଙ୍କ ପତ୍ତା । ବୁଧବାର ସନ୍ଧ୍ୟାରେ ଗାଜିଆବାଦରେ ଅପରାଧୀମାନଙ୍କୁ ଏନକାଉଣ୍ଟର କରାଯାଇଛି । ଦୁଇ ମୃତ ସୁଟର ହେଲେ ରୋହତକର ରବୀନ୍ଦ୍ର ଏବଂ ସୋନିପତର ଅରୁଣ । ଆଉ ଦୁଇ ଏବେ ବି ଫେରାର ଅଛନ୍ତି ।
ରୋହିତ ଗୋଦରା ଏବଂ ଗୋଲ୍ଡି ବ୍ରାରଙ୍କ ଗ୍ୟାଙ୍ଗର ସୁଟରଙ୍କ ଉପରେ ଥିଲା ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ତେବେ ଘଟଣାସ୍ଥଳରୁ ଏକ ଗ୍ଲକ୍ ପିସ୍ତଲ, ଏକ ଜିଗ୍ନା ପିସ୍ତଲ ଏବଂ କାର୍ଟ୍ରିଜ୍ ଜବତ କରାଯାଇଛି। ଏକ ଧଳା ଆପାଚି ଜବତ କରାଯାଇଛି। ଏହି ସୁରାକରୁ ଆଉ କିଛି ଗ୍ୟାଙ୍ଗଷ୍ଟରଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରୁଛି ୟୁପି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/18/52-2025-09-18-21-10-23.jpg)