ମନମୋହନ ସିଂଙ୍କ ଉପରେ ନିର୍ମିତ ଫିଲ୍ମର ଓଡିଶା ଲିଙ୍କ । ପଢନ୍ତୁ ପୁରା ରିପୋର୍ଟ ।

77

ବି-ଟାଉନରେ ଚାଲିବ ଓଡିଆଙ୍କ ରାଜୁତି । କାରଣ ବର୍ତ୍ତମାନ ସମୟରେ ବଲିଉଡ ସିନେ ଜଗତରେ ଓଡିଆ କଳାକାରଙ୍କ ପ୍ରତିଭା ପ୍ରତିଫଳିତ ହେବାରେ ଲାଗିଛି । ବଲିଉଡର ନାମୀଦାମୀ ଫିଲ୍ମ ନିର୍ମାତାମାନେ ଏବେ ଓଡିଆଙ୍କୁ ବି ବାକି କଳାକାରଙ୍କ ଭଳି ଗୁରୁତ୍ୱ ଦେଉଛନ୍ତି । ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ଓଡିଆ ଝିଅ ପ୍ରକୃତି ମିଶ୍ର । ନିକଟରେ ତାଙ୍କର ପ୍ରତିଭାକୁ ମିଳିଥିଲା ଜାତୀୟ ପୁରସ୍କାର । ସେହିପରି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହିତ ମଧ୍ୟ ଜଣେ ଓଡିଆ ପୁଅ କାମ କରିସାରିଛନ୍ତି । ସୁପରହିଟ୍ ସିନେମା ଟାଇଗର ଜିନ୍ଦା ହୈରେ ସଲମାନଙ୍କ ସହିତ କାମ କରିଥିଲେ ଜଣେ ଓଡିଆ କଳାକାର । ଏଭଳି ଅନେକ ବଲିଉଡ ସିନେମା ରହିଛି ଯେଉଁଥିରେ ଓଡିଆ ଷ୍ଟାରଙ୍କ ଜଲୱା ଦେଖିବାକୁ ମିଳିଛି ।

ଠିକ୍ ଏଭଳି ଜଣେ ଓଡିଆ ଷ୍ଟାରଙ୍କ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଯିଏକି ବଲିଉଡ ସିନେମା ତଥା ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ସିନେମା ଦ ଏକ୍ସିଡେନ୍ଟାଲ ପ୍ରାଇମ ମିନିଷ୍ଟରରେ କାମ କରିବାକୁ ସୁଯୋଗ ମିଳିଛି । ଆଉ ସେ ହେଉଛନ୍ତି ଓଡିଆ ପୁଅ ଆଶୁତୋଷ ଅଙ୍କିତ୍ ପଟ୍ଟନାୟକ । ଯିଏକି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର । ଅଙ୍କିତ ଏହି ସିନେମାରେ ଆର୍ଟ ଡାଇରେକ୍ଟର ଭାବରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଡିଏଭ ସ୍କୁଲର ଜଣେ ଛାତ୍ର । ଅଙ୍କିତଙ୍କ ମା ଜଣେ ପେଂଟର ଏବଂ ଇଂଟରିୟର ଡିଜାଇନର । ସେ ଏହି କଳା ତାଙ୍କ ମାଆଙ୍କ ଠାରୁ ଶିଖିଛନ୍ତି ।

ଉଲ୍ଲେଖଥାଉ କି, ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଏକ୍ସିଡେନ୍ଟାଲ ପ୍ରାଇମ ମିନିଷ୍ଟର’ ରେ ଭେଟେରାନ ଆକ୍ଟର ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଲଣ୍ଡନ ଠାରେ ଆରମ୍ଭ ହୋଇସାରିଛି । ଫିଲ୍ମରେ ଅନୁପମ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ଅର୍ଥାତ ଚଳିତ ବର୍ଷ ଡିସେମ୍ବର ୨୧ ତାରିଖରେ ରିଲିଜ ହୋଇପାରେ ।

ନିକଟରେ ଏହି ସିନେମାର ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଯେଉଁଥିରେ ଅନୁପମ ଖେର ମନମୋହନ ସିଂହଙ୍କ ପରି ଦୃଶ୍ୟମାନ ହେଉଥିଲେ ଏବଂ ତାଙ୍କ ପଛରେ ଜଣେ ମହିଳାଙ୍କ ଆକୃତି ଥିଲା । ଯାହା ବାବଦରେ ଅନୁମାନ ଲଗା ଯାଉଥିଲା ଯେ, ଆକୃତିଟି ସୋନିଆ ଗାନ୍ଧିଙ୍କର ଥିଲା । ଫିଲ୍ମଟିର ସ୍କ୍ରିପ୍ଟ, ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହଂସଲ ମେହତା ଲେଖିଛନ୍ତି । ଅନୁପମ ଖେର ମନମୋହନ ସିଂହଙ୍କର ଚରିତ୍ରରେ ଅଭିନୟ କରୁଥିବା ବେଳେ ଅନ୍ୟ ଚରିତ୍ରରେ କେଉଁମାନେ ଅଭିନୟ କରୁଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ । ଏହି ଫିଲ୍ମଟି ସଞ୍ଜୟ ବାରୁଙ୍କ ଦ୍ୱାରା ଲେଖା ହୋଇଥିବା ୨୦୧୪ ସଂସ୍କରଣ ଉପରେ ଆଧାରିତ । ମନମୋହନ ସିଂହ ଜଣେ ଅର୍ଥଶାସ୍ତ୍ରୀ ଏବଂ ରାଜନେତା ରୂପରେ ନିଜ ସେବା କରିସାରିଛନ୍ତି । ଏବଂ ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।