ଅଣ୍ଡରୱାର୍ଲ୍ଡ ପ୍ରେମରେ ବଲିଉଡ଼ ! ଚର୍ଚ୍ଚାରେ ଡନଙ୍କ ସହ ଅଭିନେତାଙ୍କ ନିବିଡ଼ତା

45

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଅବୁ ସାଲେମ ସମେତ ଅନ୍ୟ ୫ଜଣଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଛନ୍ତି ଟାଡା କୋର୍ଟ । ଯେଉଁଥିରେ ଅବୁ ସାଲେମ ଓ କରିମୁଲା ଖାନକୁ ଆଜୀବନ କାରାଦଣ୍ଡ ଶୁଣାଣି କରାଯାଇଥିବା ବେଳେ ରିୟାଜ୍ ସିଦ୍ଦିକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । ସେହିପରି କରିମୁଲା ଖାନକୁ ଆଜୀବନ ୨ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି କୋର୍ଟ । ତେବେ ଡି କଂପାନୀ ସହିତ ଅପରାଧିକ ଜଗତରେ ପାଦ ଦେଇଥିବା ଅବୁ ସାଲେମର ମାୟାନଗରୀ ତଥା ମୁମ୍ବାଇ ସହିତ ଯେ ରହିଥିଲା ପୁରୁଣା ସଂପର୍କ ସେ ନେଇ ଆଜିର ଏହି ଆଲୋଚନା ।

ସଂଜୟ ଦତ୍ତ ଏବଂ ଅବୁ ସଲେମ

ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଅଣ୍ଡରୱାଲ୍ଡ ସହ ସଂଜୁବାବାଙ୍କ କନେକ୍ସନ ଥିବା ଖବର ଶୁଣିବାକୁ ମିଳିଥିଲା । ଏପରିକି ସଂଜୟ ଦତ୍ତଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗ ବି ଆସିଥିଲା ଏବଂ ଏଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ଦଣ୍ଡାଦେଶ ମଧ୍ୟ ହୋଇଥିଲା । କୁହାଯାଏ, ଅବୁ ସାଲେମଙ୍କ ସହିତ ସଂଜୁବାବାଙ୍କ ସଂପର୍କ ଥିଲା ଖୁବ୍ ଗଭୀର । ଉଭୟଙ୍କୁ ଅନେକ ସମୟରେ ବି ଏକାଠି ଦେଖିବାକୁ ମିଳିଥିଲା ।

ହାଜୀ ମସ୍ତାନ – ସୋନା

ହାଜୀ ମସ୍ତାନଙ୍କୁ ସାଧାରଣତଃ ବମ୍ବେର ପ୍ରଥମ ସେଲିବ୍ରେଟି ଗାଙ୍ଗଷ୍ଟର ବୋଲି କୁହାଯାଏ । ବଲିଉଡ ସହିତ ହାଜୀର ଗଭୀର ସଂପର୍କ ରହିଛି । ସେ ମଧୁବାଳାଙ୍କର ବହୁତ ବଡ ଫ୍ୟାନ୍ ଥିଲା । ଖାଲିସେତିକି ନୁହେଁ ଏଥିପାଇଁ ହାଜୀ ସୋନାଙ୍କୁ ବିବାହ ମଧ୍ୟ କରିଥିଲେ ଆଉ ସୋନା ବି ହାଜୀ ପାଇଁ ଅଧିକାଂଶ ସମୟରେ ମଧୁବାଳାଙ୍କ ଭଳି ନଜର ଆସୁଥିଲେ । ତେବେ ବଲିଉଡର ଅନେକ ଷ୍ଟାର୍ସଙ୍କ ସହ ହାଜୀ ମସ୍ତାନର ଖୁବ୍ ଭଲ ସଂପର୍କର ରହିଥିବା ଶୁଣିବାକୁ ମିଳିଥିଲା ।

ଦାଉଦ ଇବ୍ରାହିମ- ଅନୀତା ଅୟୁବ

ମୋଷ୍ଟୱାଂଟେଡ୍ ତଥା ଅଣ୍ଡରୱାର୍ଲ୍ଡ ଡନ ଦାଉଦର ସଂପର୍କ ବି ବଲିଉଡ ଜଗତ ସହ ରହିଛି । ଶୁଣିବାକୁ ମିଳେ କି, ପ୍ରୋଟେକ୍ସନ ନାଁରେ ଦାଉଦ ସିନେମା ଜଗତ ସହ ଜଡିତ ଲୋକମାନଙ୍କ ପାଖରୁ ବଟି ଆଦାୟ କରୁଥିଲା । ଏପରିକି ସିନେମା ଜଗତର ଅନେକ ନାୟିକାଙ୍କ ସହିତ ମଧ୍ୟ ଦାଉଦର ସଂପର୍କ ଥିଲା । ନାୟିକା ଅନିତା ଅୟୁବଙ୍କ ସହ ଦାଉଦର ସଂପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଅଭିଯୋଗ ଥିଲା କି, ଯେତେବେଳେ ପ୍ରଡ୍ୟୁସର ଯାବେଦ ସିଦ୍ଧିକ୍ ୧୯୯୫ରେ ଅନିତାଙ୍କୁ ନିଜ ସିନେମାରେ ନେବାପାଇଁ ମନା କରିଦେଇଥିଲେ ସେତେବେଳେ ଦାଉଦର ଗୁଣ୍ଡାମାନେ ଯାବେଦଙ୍କୁ ହତ୍ୟା କରିଦେଇଥିଲେ ।

ମନ୍ଦାକିନୀ-ଦାଉଦ

ସେହିପରି ମନ୍ଦାକିନୀଙ୍କ ସହିତ ମଧ୍ୟ ଦାଉଦଙ୍କ ନାଁ ଶୁଣିବାକୁ ମିଳିଥିଲା । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା କହିବା ଯଥାର୍ଥ ହେବନି ମାତ୍ର ଡନଙ୍କ ସହ ମନ୍ଦାକିନୀଙ୍କ ପ୍ରେମ ସଂପର୍କ ଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ଅଭିଯୋଗ ରହିଛି କି, ମନ୍ଦାକିନୀଙ୍କର ଅନେକ ସିନେମାରେ ଡି କଂପାନୀର ଟଙ୍କା ଲାଗିଛି ।

ସଲମାନ ଖାନ- ଦାଉଦ

ଦାଉଦ ସହ ବଲିଉଡ ଭାଇଜାନଙ୍କର ସଂପର୍କ ଥିବା ଶୁଣିବାକୁ ମିଳିଥିଲା । ଏକ ଫଟୋରେ ସଲମାନ ଦାଉଦ ସହ ନଜର ଆସିଥିଲେ । ଯଦିଓ ଫଟୋଟିକୁ ନେଇ ସେଭଳି କୌଣସି ତଥ୍ୟ ମିଳିପାରି ନାହିଁ ତଥାପି ଫଟୋରେ ନଜର ଆସିଥିବା ବ୍ୟକ୍ତି ଜଣକ ଦାଉଦ ବୋଲି ଅଭିଯୋଗ ଆସିଥିଲା ।

ଦାଉଦ- ଅନୀଲ କପୁର

ଏକ ଫଟୋରେ ଅନୀଲ କପୂରଙ୍କୁ ମଧ୍ୟ ଦାଉଦ ସହ ଦେଖିବାକୁ ମିଳିଥିଲା । ଏହି ଫଟୋଟି କୌଣସି କ୍ରିକେଟ୍ ମ୍ୟାଚ୍ ସମୟରେ ଉଠାଯାଇଥିବା ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ସୁନୀଲ ଦତ୍ତ- ହାଜୀ ମସ୍ତାନ

କଂଗ୍ରେସର ପୂର୍ବତନ ସାଂସଦ ତଥା ବଲିଉଡ ଅଭିନେତା ସ୍ୱର୍ଗୀୟ ସୁନୀଲ ଦତ୍ତ ଙ୍କୁ ଏକ ଫଟୋରେ ଗାଂଗଷ୍ଟାର ହାଜୀ ମସ୍ତାନ ସହ ଦେଖିବାକୁ ମିଳିଥିଲା । ଯେଉଁଥିରେ ସୁନୀଲଙ୍କ ସହ ହାଜୀ ମସ୍ତାନ ହସୁଥିବାର ନଜର ଆସିଥିଲା ।

ଏଠାରେ ଆମେ କହି ରଖୁଛୁ କି, ୨୪ବର୍ଷ ପରେ ୨୫୭ ମୃତ୍ୟୁର ହିସାବ କରିଛନ୍ତି ମୁମ୍ବାଇ ସ୍ୱତନ୍ତ୍ର ଟାଡା କୋର୍ଟ । ୧୯୯୩ ବୋମା ବିସ୍ଫୋରଣ ମାମଲାରେ ତାହିର ମରଚେଂଟ ଓ ଫିରୋଜକୁ ଫାଶୀ ଦଣ୍ଡାଦେଶ ହୋଇଛି । ସେହପିରି ଅଣ୍ଡରୱାର୍ଲ୍ଡ ଡନ ଅବୁ ସାଲେମ ଓ କରିମୁଲା ଖାନକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହା ସହ ରିଆଜ ସିଦିକିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । କରିମୁଲା ଖାନକୁ ଆଜୀବନ ୨ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି କୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁସ୍ତଫା ଦୋଷାରର ପୂର୍ବରୁ ମୃତ୍ୟୁ ହୋଇସାରିଛି । ପାଂଚ ଦୋଷୀଙ୍କ ମଧ୍ୟରୁ ୩ଜଣଙ୍କୁ ଫାଶୀ ଦଣ୍ଡାଦେଶ ଓ ୨ଜଣଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ସିବିଆଇ ଦାବି କରିଥିଲା । ମୁମ୍ବାଇ ବିସ୍ଫୋରଣ ମାମଲାରେ ୨୪ ବର୍ଷ ପରେ ଆବୁ ସାଲେମ ସମେତ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।