କନକ ବ୍ୟୁରୋ : ଠକ ସୁକେଶ ଚନ୍ଦ୍ରଶେଖର ଅର୍ଥ ହେରଫେର ମାମଲାରେ ଅର୍ଥନୈତିକ ଅପରାଧ ଶାଖାର ଦିଲ୍ଲୀ କାର୍ଯ୍ୟାଳୟ ତରଫରୁ ଏକ ବଡ ଖୁଲାସା କରାଯାଇଛି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ସୁକେଶ ଚନ୍ଦ୍ରଶେଖରର ନିକତମ କୁହାଯାଉଥିବା ପିଙ୍କି ଇରାନୀଙ୍କ କଥାରେ ତାଳମେଳ ରହୁନଥିବା କଥା ଇଓଡବ୍ଲ୍ୟୁ କହିଛି । ବୁଧବାର ଦିନ ଜ୍ୟାକଲିନ ଓ ପିଙ୍କିଙ୍କୁ ଇଓଡବ୍ଲ୍ୟୁ ୧ ଘଂଟା ଧରି ଜେରା କରିଥିଲା । ଏହାପରେ ଉଭୟଙ୍କୁ ସାମ୍ନାସାମ୍ନି ବସାଇ ମଧ୍ୟ ଜେରା କରାଯାଇଥିଲା । ଏହି ଜେରା ବେଳେ ଉଭୟଙ୍କ କଥାରେ ସମାନତା ନଥିବା କଥା କୁହାଯାଇଛି ।

Advertisment

ସେପଟେ ଏହି ମାମଲାରେ ଆଜି ବଲିଉଡ ଅଭିନେତ୍ରୀ ନୋରା ଫତେହି ଓ ପିଙ୍କି ଇରାନୀଙ୍କୁ ଜେରା କରୁଛି । ଏନେଇ ଜେରା ପୂର୍ବରୁ ଦିଲ୍ଲୀ ପୋଲିସ କହିଥିଲା କି ଉଭୟ ନୋରା ଓ ପିଙ୍କିଙ୍କୁ କିଛି କଥାର ସ୍ପଷ୍ଟିକରଣ ପାଇଁ ଡକାଯାଇଛି । ସେପଟେ ପୋଲିସ ନିକଟରେ ନୋରା ହାଜର ହେବା ପୂର୍ବରୁ କହିଥିଲେ କି ସେ ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧୀକ ରେକର୍ଡ ବାବଦରେ କିଛି ଜାଣି ନାହାଁନ୍ତି । ଏହାପୂର୍ବରୁ ଯାଂଚ ଏଜେନ୍ସି ନୋରା ଫତେହିଙ୍କୁ ୭ ଘଂଟା ଧରି ଜେରା ମଧ୍ୟ କରିସାରିଛି ।

ଅନ୍ୟପଟେ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ମଧ୍ୟ ପୁଣିଥରେ ଜେରା ପାଇଁ ଡକାଯାଇପାରେ । ଯାଂଚ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏହି ମାମଲାରେ ଜ୍ୟାକଲିନ ଓ ନୋରାଙ୍କ ମଧ୍ୟରେ କୌଣସି ସିଧାସଳଖ ସଂପର୍କର ସୁରାଗ ମିଳିନାହିଁ ।