ପୁରୀ ଗୋପରେ ବାତ୍ୟା ମୁକାବିଲା ପ୍ରସ୍ତୁତି : ସବୁ ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ

ତଳିଆ ଅଂଚଳରୁ ସ୍ଥାନାନ୍ତର ଓ ଜିରୋ କାଜୁଆଲଟି ଉପରେ ଫୋକସ୍; ସେପଟେ କେନ୍ଦ୍ରାପଡାରେ ମୁକାବିଲା ପାଇଁ ୧୦ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ

181

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ‘ୟାସ’ ପୁଣିଥରେ ଉପକୂଳ ଓଡ଼ିଶା ପାଇଁ ବିପଦ ଆଣିଦେଇଛି। ବର୍ତ୍ତମାନ ସୁଦ୍ଧା ବାତ୍ୟାର ଦିଗ ଓ ଗତି ସ୍ପଷ୍ଟ ହୋଇ ନଥିଲେ ବି ଦୁଇବର୍ଷ ତଳେ ‘ଫନି’କୁ ଅଙ୍ଗେ ନିଭାଇଥିବା ପୁରୀ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡ଼ିଛି । ଏହାର ପ୍ରାକ୍‌ପ୍ରସ୍ତୁତି ସ୍ବରୂପ ଶନିବାର ଦିନ ଜିଲ୍ଲାପାଳ ସମର୍ଥ ବର୍ମା ୧୧ ବ୍ଲକର ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ନେଇ ବୈଠକ କରିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସଂପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ବୈଠକ କରିବା ସହ ସମନ୍ବୟଭିତ୍ତି ଓ ସହଯୋଗ ଭିତ୍ତିରେ ବାତ୍ୟାର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି ।

ପୁରୀ ଜିଲ୍ଲାରେ କୋଷ୍ଟାଲ୍‌ ଏରିଆ ଅଧିକ ରହିଥିବାରୁ ବାତ୍ୟା ଅଧିକ କ୍ଷୟକ୍ଷତି କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଚାଳ ଘରେ ଓ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି। ୧ଲକ୍ଷ ୪୬ହଜାର ଲୋକଙ୍କୁ ଉଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଥିଲେ ବି ସମ୍ଭାବ୍ୟ ବାତ୍ୟାର ସ୍ଥିତି ଦେଖି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ବିଡିଓ ବିପଦସଂକୁଳ ଅଞ୍ଚଳ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ବ୍ଲକରେ ୫୦ କ୍ବିଣ୍ଟାଲ ଚୁଡ଼ା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଣୀ ଚିକିତ୍ସା ବିଭାଗକୁ ଗାଈଗୋରୁଙ୍କ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି। ବର୍ତ୍ତମାନ କରୋନା ମହାମାରୀ ଚାଲିଥିବାରୁ ଏହାର ସମସ୍ତ ନିୟମ ଅନୁପାଳନ ପୂର୍ବକ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ମାଗଣା ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଚାଉଳ, ଡାଲି, ଆଳୁ ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ବାତ୍ୟା ସମୟରେ ଓ ବାତ୍ୟା ପରେ ପରିସ୍ଥିତିର କିଭଳି ମୁକାବିଲା କରାଯିବ ସେ ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିବା ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟପଟେ ଜଳଯୋଗାଣ, ବିଜୁଳି ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା କରିବାକୁ ସେସୁ ଓ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତ୍ବରିତ ରାସ୍ତା ସଫା ଓ ଅନ୍ୟାନ୍ୟ ଦିଗ ଉପରେ ଦୃଷ୍ଟି ଦେବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ କୁହାଯାଇଛି।