ସ୍କୁଲ ବନ୍ଦ ଯୋଗୁଁ ବଢ଼ିଲା ଘରୋଇ ଟ୍ୟୁସନ । କରୋନା କାଳରେ ଆସିଲା ‘ଅସର’ ରିପୋର୍ଟ, ବଢ଼ିଛି ସ୍ମାର୍ଟଫୋନର ବ୍ୟବହାର ।

122

କନକ ବ୍ୟୁରୋ : ମହାମାରୀ କରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ କ’ଣ ପ୍ରଭାବ ପକାଇଛି ସେନେଇ ତଥ୍ୟ ଦେଇଛି ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ୍ ରିପୋର୍ଟ । ଏହି ରିପୋର୍ଟରେ କୁହାଯାଇଛି କରୋନା ବେଳେ ସ୍କୁଲ ବନ୍ଦ ଥିବା କାରଣରୁ ଅନେକ ପିଲା ଟିଉସନ ଯାଇଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ କୁହାଯାଇଛି, ଛାତ୍ରଛାତ୍ରୀଙ୍କ ପାଖରେ ଏବେ ବହୁ ସଂଖ୍ୟାରେ ମୋବାଇଲ ଆସିଯାଇଛି । ୨୦୧୮ରେ ଏହା ୨୬ପ୍ରତିଶତ ଥିବାବେଳେ ଏହା ଏବେ ୬୫ପ୍ରତିଶତରେ ପହଞ୍ଚିଛି ।

କରୋନା କାଳରେ ପିଲାମାନଙ୍କ ପାଠପଢ଼ା କିପରି ଚାଲିଛି, ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିଲା । ଆଉ ଏହାରି ଭିତରେ ଶିକ୍ଷାର ବାର୍ଷିକ ସ୍ଥିତିର ଚିତ୍ର ଦେଇଛି ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ୍ ରିପୋର୍ଟ ବା ଅସର । ପିଲାଙ୍କ ପାଠପଢ଼ା ଉପରେ ମହାମାରୀର କ’ଣ ପ୍ରଭାବ ପଡ଼ିଛି, ତାକୁ ଠିକ୍ ଭାବରେ ଦର୍ଶାଇବା ପାଇଁ ଏକ ନୂଆ ଢ଼ାଞ୍ଚାରେ ଫୋନ ଦ୍ୱାରା ସର୍ଭେ କରାଯାଇଛି ।

କରୋନା କାଳରେ କେମିତି ଚାଲିଛି ପିଲାଙ୍କ ପାଠପଢ଼ା ? ବର୍ଷକ ଭିତରେ ୧୪ ପ୍ରତିଶତ ଅଧିକ ପିଲା ଯାଉଛନ୍ତି ଟିଉସନ୍ । ୨୦୨୧ରେ ସରକାରୀ ସ୍କୁଲରେ ବଢ଼ିଛି ନାମଲେଖା । ମହାମାରୀ ବେଳେ ୫ ବର୍ଷରୁ ୧୬ ବର୍ଷ ବୟସର ପିଲାମାନେ କିପରି ପାଠ ପଢୁଛନ୍ତି ଏ ନେଇ ଦେଶବ୍ୟାପୀ ସର୍ଭେ କରାଯାଇଛି । ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ୍ ରିପୋର୍ଟ ବା ଅସର ୨୦୨୧ ପ୍ରକାଶ ପାଇଛି । ପ୍ରଥମ ଲକଡାଉନର ୧୮ ମାସ ପରେ ଅର୍ଥାତ୍ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ ପାଇଛି ।

ନଜର ପକାନ୍ତୁ, ପିଲାଙ୍କ ଶିକ୍ଷା କ୍ଷେତ୍ରରେ କିପରି ପରବର୍ତ୍ତନ ହୋଇଛି ।
– କରୋନା ସମୟରେ ସରକାରୀ ସ୍କୁଲରେ ନାମଲେଖା ବଢିଛି
– ସରକାରୀ ସ୍କୁଲରେ ୨୦୨୦ରେ ପିଲାଙ୍କ ନାମାଙ୍କନ ୮୧ ପ୍ରତିଶତ ଥିଲା, ୨୦୨୧ରେ ଏହା ୮୪ ପ୍ରତିଶତକୁ ବଢ଼ିଛି
– ସ୍କୁଲ ପାଠପଢ଼ା ବ୍ୟାହାତ ହୋଇଥିବାରୁ ଟିଉସନ୍ ମୁହାଁ ହୋଇଛନ୍ତି ପିଲା
– ୨୦୨୦ରେ ୫୨ ପ୍ରତିଶତ ପିଲା ଟିଉସନ ଯାଉଥିବା ବେଳେ ୨୦୨୧ରେ ଏହା ବଢ଼ି ୬୬ ପ୍ରତିଶତ ହୋଇଛି
– ସ୍ମାର୍ଟ ଫୋନ ବ୍ୟବହାର ମଧ୍ୟ ବଢ଼ିଛି
– ୨୦୧୮ରେ ସ୍ମାର୍ଟଫୋନ ବ୍ୟବହାର ୨୬ ପ୍ରତିଶତ ଥିଲା, ୨୦୨୧ରେ ଏହା ୬୫ ପ୍ରତିଶତରେ ପହଞ୍ଚିଛି
– ଘରେ ରହି ବହି ମାଧ୍ୟମରେ ଓଡ଼ିଶାରେ ପଢ଼ୁଛନ୍ତି ୬୮ ପ୍ରତିଶତ ପିଲା
– ଟିଭି ଓ ଅନ୍ୟାନ୍ୟ ମାଧ୍ୟମରେ ୧୯ ପ୍ରତିଶତ ଓ ଅନଲାଇନ୍ ଲାଇଭ୍ କ୍ଲାସ କରୁଛନ୍ତି ମାତ୍ର ୩୧ ପ୍ରତିଶତ ପିଲା

୬୨ ପ୍ରତିଶତ ପିଲା, ଯେଉଁମାନଙ୍କ ବାପାମାଆଙ୍କ ଶିକ୍ଷାଗତ ଯୋଗ୍ୟତା ନବମ ଶ୍ରେଣୀରୁ ଅଧିକ, ସେମାନେ ନିଜ ବହିଦ୍ୱାରା ପାଠ ପଢ଼ୁଛନ୍ତି ।