କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ରାଜୁଆ ନଦୀରେ ମାଛ ମଡ଼କ । ନଦୀରେ ଭାସୁଛି କୁଢ଼କୁଢ଼ ମଲା ମାଛ । ଦୂଷିତ ପାଣି ଯୋଗୁଁ ମାଛ ମରୁଥିବା ଅନୁମାନ କରାଯାଉଛି । କୁହାଯାଉଛି କି ଗଙ୍ଗୁଆ ନାଳର ପାଣି ସିଧାସଳଖ ଦୟା ନଦୀରେ ମିଶିବା ଯୋଗୁଁ ତାର ଶାଖା ନଦୀ ରାଜୁଆ, ମଲାଗୁଣୀ, ମକରା ନଦୀ ଜଳ ମଧ୍ୟ ବିଷାକ୍ତ ହେଉଛି । କଣାସ ବ୍ଲକର ୨୮ଟି ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ନଦୀ ଉପରେ ନିର୍ଭର କରନ୍ତି । ନଦୀ ଜଳ ଦୂଷିତ ହେଉଥିବାରୁ ମାଛ ମରୁଥିବା କୁହାଯାଉଛି ।

Advertisment

ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ବିଭିନ୍ନ ନଦୀରେ ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ହେଲେ କୌଣସି ଗୋଟିଏ ହେଲେ ପାଣି ଟାଙ୍କି ବିଶୋଧନ କରାଯାଉନଥିବା ଅଭିଯୋଗ ହୋଇଛି । ଲୋକମାନେ ସେହି ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି । ଅନେକ ସମୟରେ ରୋଗରେ ପଡ଼ୁଛନ୍ତି । ଏବେ ନଦୀରେ ମାଛ ମଡ଼କ ହୋଇଥିବାରୁ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି ।