ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ ଦଳ ।

95

କନକ ବ୍ୟୁରୋ : ଓଭାଲରେ ଆଜି ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଟସ୍ ହାରିବା ସହ ପ୍ରଥମ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଚତୁର୍ଥ ଟେଷ୍ଟରେ ଉଭୟ ଟିମ୍ ୨ଟି ଲେଖାଏଁ ପରିବର୍ତ୍ତନ କରିଛନ୍ତି । ଅଧିନାୟକ ବିରାଟ କୋହଲି ଚତୁର୍ଥ ଟେଷ୍ଟ ପାଇଁ ଦଳରେ ଦୁଇଟି ପରିବର୍ତ୍ତନ କରିଛନ୍ତି । ଇଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ବ୍ୟାଟିଂ ଲାଇନଅପରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୁଣିଥରେ ଆଜିଙ୍କ୍ୟ ରାହେଣଙ୍କ ଉପରେ ଭରସା କରିଛି ଟିମ୍ ମ୍ୟାନେଜମେଣ୍ଟ । ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଭିଜ୍ଞ ବ୍ୟାଟସମ୍ୟାନଙ୍କ ଉପରେ ଭରସା କରିଛି ଦଳ ।

ସେହିଭଳି ଇଂଲଣ୍ଡ ମଧ୍ୟ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ୨ଟି ପରିବର୍ତ୍ତନ କରିଛି । ଜୋସ ବଟଲର ଓ ସାମ କରନଙ୍କ ସ୍ଥାନରେ ଓଲି ପୋପ ଓ କ୍ରିସ ଓକ୍ସଙ୍କୁ ସାମିଲ କରାଯାଇଛି । ଚତୁର୍ଥ ଟେଷ୍ଟରେ ବିଜୟ ଲକ୍ଷ୍ୟ ନେଇ ଦଳ ମୈଦାନକୁ ଓହ୍ଲାଇବା । ଏହାପୂର୍ବରୂ ଇଂଲଣ୍ଡ ତୃତୀୟ ଟେଷ୍ଟ ଜିିତିବା ସହ ସିରିଜକୁ ୧-୧ରେ ବରାବର କରିଥିଲା । ପୂର୍ବରୁ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇଥିଲା ।