ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡର ବଡ ନିଷ୍ପତ୍ତି: ପାକିସ୍ତାନ ଗସ୍ତ ବାତିଲ କଲା ଇସିବି

178

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡର କ୍ରିକେଟ ବୋର୍ଡର ବଡ ନିଷ୍ପତ୍ତି । ଆଜି ପାକିସ୍ତାନର ସମସ୍ତ ଗସ୍ତ ବାତିଲ କଲା ଇସିବି । ଉଭୟ ପୁରୁଷ ଓ ମହିଳା କ୍ରିକେଟର ଏହି ଟୁରକୁ ବାତିଲ କରାଯାଇଛି । ଏନେଇ ଇସିବି ନିଜେ ଟ୍ୱିଟ କରି ସୂଚନା ଦେଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ପାକିସ୍ତାନ ଗତ ବାତିଲ କରି ସ୍ୱଦେଶ ଫେରିଆସିଥିଲା ।

ଟି-୨୦ ବିଶ୍ୱକପ ପୂର୍ବରୁ ଅକ୍ଟୋବର ମାସରେ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତରେ ଯାଇଥାନ୍ତା । ସେଠାରେ ପାକିସ୍ତାନ ସହ ଦୁଇଟି ୱାର୍ମ ଅପ ମ୍ୟାଚ ଖେଳିଥାନ୍ତା ଇଂଲଣ୍ଡ ଦଳ । ସେହିପରି ମହିଳା ଦଳ ମଧ୍ୟ ସେଠାରେ ମ୍ୟାଚ ଖେଳିଥାନ୍ତେ । ହେଲେ ଏହାକୁ ଇସିବି ବାତିଲ କରିଦେଇଛି ।

ଇସିବି ଟ୍ୱିଟ କରି କହିଛି, ଇସିବି ନିଷ୍ପତ୍ତି ନେଇଛି ଅକ୍ଟୋବରରେ ପାକିସ୍ତାନରେ ହେବାକୁ ଥିବା ଉଭୟ ପୁରୁଷ ଓ ମହିଳା ଦଳର ମ୍ୟାଚକୁ ରଦ୍ଦ କରିଦିଆଯାଇଛି । ଆମେ ଆମ ଖେଳାଳି ଓ ଷ୍ଟାଫଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ଅଧିକ ପ୍ରାଥମିକତା ଦେଉ ।

ଏହାପୂର୍ବରୁ ନ୍ୟୁଜିଲାଣ୍ଡ ମଧ୍ୟ ମ୍ୟାଚ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ହଠାସ ଗସ୍ତ ବାତିଲ କରିଥିଲା । ସୁରକ୍ଷାକୁ ନଜରରେ ରଖି ଏଭଳି କରାଯାଇଥିବା କହାଯାଇଥିଲା । ହେଲେ ଇଂଲଣ୍ଡ କାହିଁକି ଗସ୍ତ ବାତିଲ କରିଛି ସେନେଇ କିଛି ପ୍ରତିକ୍ରିୟା ରଖାଯାଇନାହିଁ ।