ନିଶ୍ୱାସ ଅଟକି ଗଲା ଭଳି ଫାଇନାଲରେ ବାଜି ମାରିଲା ଇଂଲଣ୍ଡ । ସୁପର ଓଭର ହେଲା ଟାଇ, ପ୍ରଥମ ଥର ପାଇଁ ବିଶ୍ୱକପ୍ ବାଦଶାହା ବନିଲା ଇଂଲଣ୍ଡ । ଜାଣନ୍ତୁ କେମିତି?

724

କନକ ବ୍ୟୁରୋ : ବିଶ୍ୱବିଜେତା ଟିମ୍ ଇଂଲଣ୍ଡ । ପ୍ରଥମ ଥର ପାଇଁ ବିଶ୍ୱକପ୍ ହାତେଇଲା ଇଂଲଣ୍ଡ । ସୁପର ଓଭରରେ ବାଜି ମାରି ବିଶ୍ୱକପ ଟ୍ରଫି ହାତେଇଛି ମୋର୍ଗାନ ବାହିନୀ । ଆଉ ଏହାସହ ଇଂଲଣ୍ଡର ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ସୁପର ଓଭରରେ ମ୍ୟାଚ୍ ଟାଇ ହେବା ପରେ ଅଧିକ ବାଉଣ୍ଡ୍ରୀ ପାଇଁ ଇଂଲଣ୍ଡକୁ ବିଶ୍ୱବିଜେତା ଘୋଷଣା କରାଯାଇଛି ।

ଏହାପୂର୍ବରୁ ନିର୍ଦ୍ଧାରିତ ଓଭରରେ ମ୍ୟାଚର ଫଳାଫଳ ଫଇସଲା ହୋଇପାରିନଥିଲା । ନିର୍ଦ୍ଧାରିତ ଓଭରରେ ମ୍ୟାଚ୍ ଟାଇ ହେବା ପରେ ପ୍ରଥମ ଥର ପାଇଁ ଫାଇନାଲରେ ସୁପରଓଭର ଦେଖିବାକୁ ମିଳିଥିଲା । ସୁପରଓଭରରେ ମଧ୍ୟ ରୋମାଞ୍ଚକର ମୁକାବିଲା ଦେଖିବାକୁ ପାଇଥିଲେ କ୍ରିକେଟ ପ୍ରେମୀ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୫ ରନ କରିଥିଲା । ୧୬ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ନ୍ୟୁଜିଲାଣ୍ଡ ମଧ୍ୟ ସୁପର ଓଭରରେ ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଉ ଏହାସହ କିୱି ଟିମର ବିଶ୍ୱକପ ହାସଲ କରିବା ସ୍ୱପ୍ନ ଧୂଳିସାତ ହୋଇଥିଲା । ଲଗାତାର ୨ୟ ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡକୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୧ ରନ କରିବାକୁ ସକ୍ଷମ ହୋଇଥିଲା । ୨୪୨ ରନର ବିଜୟ ଲକ୍ଷ୍ୟ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ ରନ କରିଥିଲା । ଆଉ ଏହାସହ ମ୍ୟାଚ୍ ଟାଇ ହୋଇଥିଲା । ଆଉ ଏହାସହ ବିଶ୍ୱବିଜେତା ବାଛିବା ପାଇଁ ସୁପର ଓଭର ହୋଇଥିଲା । ଯେଉଁଥିରେ ବାଜି ମାରି ନେଇଥିଲା ଇଂଲଣ୍ଡ । ଆଉ ଇଂଲଣ୍ଡର ଏହି ପ୍ରଥମ ବିଶ୍ୱକପର ହିରୋ ଭାବେ ଉଭା ହୋଇଛନ୍ତି ବେନ୍ ଷ୍ଟୋକ୍ସ ।