ପ୍ରାୟ ୪ ମାସ ପରେ ପଡିଆକୁ ଫେରିଲା କ୍ରିକେଟ୍ : କରୋନା କାଳରେ ବିନା ଦର୍ଶକରେ ଆରମ୍ଭ ହେଲା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ; ପ୍ରଥମ ଦିନରେ ଆରମ୍ଭରୁ ବାରମ୍ବାର ବର୍ଷା ସାଜିଲା ବାଧକ, ଇଂଲଣ୍ଡର ସ୍କୋର ୧ ୱିକେଟରେ ୩୫

260

କନକ ବ୍ୟୁରୋ: ପ୍ରାୟ ୪ ମାସର ବ୍ୟବଧାନ ପରେ ପଡିଆକୁ ଫେରିଛି କ୍ରିକେଟ୍ ।  ହେଲେ ମହାମାରୀ କରୋନାର ସଂକଟ କାରଣରୁ ଦର୍ଶକ ଶୂନ୍ୟ ରହିଛି ଗ୍ୟାଲେରୀ । ଗୋଟିଏ ପଟେ ସାରା ବିଶ୍ୱରେ କରୋନା ମହାମାରୀର ସଂକ୍ରମଣ ମାଡି ଚାଲିଥିବାବେଳେ ଇଂଲଣ୍ଡକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍ । ବୁଧବାରଠାରୁ ଆରମ୍ଭ ହୋଇଛି ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ । ମାର୍ଚ୍ଚ ୧୫ରୁ ଏପର୍ଯ୍ୟନ୍ତ ପ୍ରାୟ ୪ ମାସ ହେଲା କ୍ରିକେଟ ଉପରେ କର୍ଫ୍ୟୁ ଲାଗିଥିଲା । ହେଲେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ଶୃଙ୍ଖଳାରୁ ଅନ୍ତର୍ଜାତୀୟ କ୍ରିକେଟର ପଡିଆକୁ ପ୍ରତ୍ୟାବର୍ତନ ହୋଇଛି । ହେଲେ କରୋନା କଟକଣା ଯୋଗୁଁ ଫାଙ୍କା ଗ୍ୟାଲେରୀରେ ହୋଇଛି ମ୍ୟାଚର ଆୟୋଜନ । ବଲରେ ଛେପର ପ୍ରୟୋଗ କରାଯାଉ ନାହିଁ । ୱିକେଟ ପଡିଲେ ଖେଳାଳି ପଡିଆ ଭିତରେ ଉତ୍ସବ ମନାଉ ନାହାନ୍ତି । ତେବେ ପ୍ରଥମ ଅନ୍ତର୍ଜାତିକ ଟେଷ୍ଟ ମ୍ୟାଚରେ ବାରମ୍ବାର ବାଧକ ସାଜିଛି ବର୍ଷା । ଇଂଲଣ୍ଡରେ ବର୍ଷା ଯୋଗୁ ଟସ ପଡିବାରେ ବିଳମ୍ବ ହୋଇଥିଲା । ଆଉ ଗୋଟିଏ ବି ବଲ ବୋଲିଂ ନହୋଇ ଖେଳାଳି ମଧ୍ୟାନ୍ନ ବିରତିକୁ ଯାଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି କରିଥିଲେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ । ଓଦା ପଡିଆ ପାଇଁ ମ୍ୟାଚ ବିଳମ୍ବରେ ଆରମ୍ଭ ହେଲା । ମାତ୍ର ୩ ଓଭର ଖେଳ ପରେ ପୁଣି ବର୍ଷା ଆରମ୍ଭ ହୋଇଥିଲା । ଚା ପାନ ବିରତିର ଅଳ୍ପ ସମୟ ପୂର୍ବରୁ ବର୍ଷା ଥମିବାର ପୁଣି ଆରମ୍ଭ ହୋଇଥିଲା ଖେଳ । ଟିମ୍ ଇଂଲଣ୍ଡ ୧ ୱିକେଟ ହରାଇ ୩୫ ରନ୍ କରିଥିବାବେଳେ ପଡିଆରେ ପୁଣି ଆରମ୍ଭ ହୋଇଗଲା ବର୍ଷାର ଖେଳ । ମ୍ୟାଚ ରେଫରୀଙ୍କ ନିର୍ଦ୍ଦେଶ କ୍ରମେ ସେହିଠାରେ ହିଁ ପ୍ରଥମ ଦିନର ଷ୍ଟମ୍ପସ ଅପସାରଣ କରିନିଆ ଯାଇଛି ।