ହାରିଗଲା ପାକିସ୍ତାନ, ବଞ୍ଚିଗଲା ଇଜ୍ଜତ । ୨୦୨୫ ପାଇଁ ଟିକେଟ ହାତେଇଲା ଇଂଲଣ୍ଡ ।

909

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲେ ମଧ୍ୟ ବିଶ୍ୱକପରୁ ବାଦ୍ ପଡିଛି ପୂର୍ବତନ ଚାମ୍ପିୟନ ଇଂଲଣ୍ଡ । ବିଶ୍ୱକପରୁ ବିଦା ହୋଇଥିଲେ ମଧ୍ୟ ଶେଷ ମ୍ୟାଚରେ ବିଜୟୀ ହୋଇ ଇଜ୍ଜତ ବଞ୍ଚାଇଛି ଇଂଲଣ୍ଡ । ଶେଷ ମ୍ୟାଚରେ ଦଳ ପରାଜିତ ହୋଇଥିଲେ ଆହୁରି ସମାଲୋଚନାର ଶିକାର ହୋଇଥାନ୍ତା । କିନ୍ତୁ ଶେଷ ମ୍ୟାଚରେ ବିଜୟୀ ହୋଇ ୨୦୨୫ ପାଇଁ ଟିକେଟ ହାତେଇଛି ଇଂଲଣ୍ଡ । ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚରେ ବିଜୟୀ ହୋଇ ନିଜର ବିଶ୍ୱକପ ଅଭିଯାନ ଶେଷ କରିଛି ଇଂଲଣ୍ଡ ।

ଚଳିତ ବିଶ୍ୱକପରେ ଇଂଲଣ୍ଡ ଟିମ୍ ଖରାପ ପ୍ରଦର୍ଶନ କରିଛି ସତ କିନ୍ତୁ ଶେଷ ମ୍ୟାଚରେ ବିଜୟୀ ହୋଇ ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିଛି । ଶେଷ ୨ଟି ମ୍ୟାଚରେ ବିଜୟୀ ହୋଇ ଇଂଲଣ୍ଡ ଏହି ଯୋଗ୍ୟତା ହାସଲ କରିଛି । ଶେଷ ମ୍ୟାଚରେ ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ୭ ନମ୍ବର ସ୍ଥାନରେ ରହି ଏହି ଯୋଗ୍ୟତା ହାସଲ କରିଛି । ଚଳିତ ବିଶ୍ୱକପରେ ଇଂଲଣ୍ଡ ମୋଟ ୯ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଛି । ପ୍ରଥମ ୭ଟି ମ୍ୟାଚରୁ ଇଂଲଣ୍ଡ ୬ଟି ମ୍ୟାଚରେ ପରାଜିତ ହୋଇଥିଲା । ତେବେ ଶେଷ ୨ ମ୍ୟାଚରେ ନେଦରଲାଣ୍ଡସ ଓ ପାକିସ୍ତାନକୁ ହରାଇ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିକେଟ ହାତେଇଛି ବଟଲରଙ୍କ ଟିମ୍ ।

ଇଂଲଣ୍ଡ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ନେଦରଲାଣ୍ଡସ ପାଖରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଛି । ବିଶ୍ୱକପରେ ଆଜି ଶେଷ ଲିଗ୍ ମ୍ୟାଚ୍ ଭାରତ-ନେଦରଲାଣ୍ଡସ ମଧ୍ୟରେ ରହିଛି । ତେଣୁ ନେଦରଲାଣ୍ଡସ ଯଦି ଭାରତକୁ ହରାଉଛି ତେବେ ସିଧାସଳଖ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିବ । ଆସନ୍ତା ୨୦୨୫ରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି । ଆୟୋଜକ ଦେଶ ଭାବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫଗାନିସ୍ତାନ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିଛି । ଏବେସୁଦ୍ଧା ୭ଟି ଟିମ୍ ଚାମ୍ପିୟନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିଥିବା ବେଳେ ଆଉ ଗୋଟିଏ ସ୍ଥାନ ଫାଙ୍କା ରହିଛି । ଯଦି ନେଦରଲାଣ୍ଡସ ବିଜୟୀ ହେଉଛି ତେବେ ଯୋଗ୍ୟତା ହାସଲ କରିବ ନଚେତ ବାଂଲାଦେଶ ୮ମ ଦଳ ଭାବେ ଚାମ୍ପିୟନ୍ସ ଟ୍ରଫିରେ ଏଣ୍ଟ୍ରି କରିବ । ଅନ୍ୟପଟେ ଭାରତ ଏବେସୁଦ୍ଧା ବିଶ୍ୱକପରେ ଅପରାଜେୟ ରହିଛି, ତେଣୁ ନେଦରଲାଣ୍ଡସ ବିପକ୍ଷରେ ବିଜୟୀ ହୋଇ ଏହି ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।