କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ । ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୧୬ ଓଭରରେ ଦଳ ବିନା କୌଣସି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦଳର ଉଭୟ ଓପନର ପ୍ରଥମ ଓଭରରୁ ଆକ୍ରମଣ ଜାରି ରଖି ଦଳକୁ ଫାଇନାଲରେ ପହଞ୍ଚାଇଛି । ଜୋସ ବଟଲର ୮୦ ରନ କରିଥିବା ବେଳେ ଆଲେକ୍ସ ହେଲ୍ସ ୮୬ ରନ ସଂଗ୍ରହ କରିଥିଲେ । ମେଲବୋର୍ଣ୍ଣରେ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଖେଳାଯିବ । ୧୬୯ରନ ବିଜୟ ଲକ୍ଷ୍ୟକୁ ୧୬ ଓଭରରେ ହାସଲ କରିଛି ଇଂଲଣ୍ଡ ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ । ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ରନ କରି ୬ ୱିକେଟ ହରାଇଥିଲା । ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩୩ ବଲରୁ ୬୩ ରନ ସଂଗ୍ରହ କରିଛନ୍ତି । ସେହିଭଳି ବିରାଟ କୋହଲି ୪୦ ବଲରୁ ୫୦ ରନ ସଂଗ୍ରହ କରିଛନ୍ତି । ଅଧନାୟକ ରୋହିତ ଶର୍ମା ୨୭ ରନ, ସୂର୍ଯ୍ୟକୁମାର ଯାଦବ ୧୪ ରନ, ରାହୁଲ ୫, ରିଷଭ ପନ୍ତ ୬ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋଡାର୍ନ ୩ ୱିକେଟ ହାସଲ କରିଥିବା ବେଳେ ଆଦିଲ ରସିଦ ଏବଂ କ୍ରିସ ୱଗସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
Follow Us