କୋଭିଡ୍ କଟକଣାକୁ ନେଇ ଇଂଲଣ୍ଡର ବଡ଼ ନିଷ୍ପତ୍ତି । ଜୁଲାଇ ୧୯ରୁ ଇଂଲଣ୍ଡରେ ହଟିବ ଲକଡାଉନ କଟକଣା, ସଂକ୍ରମିତ ହେଲେ ନିଜକୁ ନିଜେ ଲୋକେ କରିବେ ଆଇସୋଲେଟ୍ ।

347

କନକ ବ୍ୟୁରୋ : ବିଶ୍ୱ କରୋନା ସହିତ ଲଢେଇ କରୁଛି । ଆଉ ଏହାରି ଭିତରେ ଇଂଲଣ୍ଡ ଏକ ବହୁତ ବଡ ନିଷ୍ପତ୍ତି ନେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଇଂଲଣ୍ଡ ଲକଡାଉନ୍ କଟକଣା ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛି । ଏନେଇ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଘୋଷଣା ପରେ ବିଭିନ୍ନ ଦେଶ ଏବେ ଏହି ନିଷ୍ପତ୍ତିକୁ ନେଇ ବିଚାର କରିବା ଆରମ୍ଭ କରିଛନ୍ତି ।

କରୋନା କାଳରେ ବୋରିସ ଜନସନଙ୍କ ବଡ ନିଷ୍ପତ୍ତି । ଜୁଲାଇ ୧୯ରୁ ଇଂଲଣ୍ଡରୁ ହଟିବ ଲକଡାଉନ୍ । କରୋନାକୁ ନେଇ ପୂରା ବିଶ୍ୱ ଲଢେଇ କରୁଛି । ଇଂଲଣ୍ଡ ବି ଏବେ କରୋନା ସହିତ ଲଢେଇ କରୁଛି । ଇଂଲଣ୍ଡରେ ଏବେ ବି ଦୈନିକ ୧୦୦୦ରୁ ୨୦୦୦ କରୋନା ପଜିଟିଭ୍ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଦୈନିକ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତଥାପି ଏହା ଭିତରେ କରୋନାକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବର୍ତମାନ କରୋନା କଟକଣାରେ ଆଉ ଲୋକଙ୍କୁ ଅଧିକ ଦିନ ନରଖିବାକୁ, ଲକଡାଉନର କଠୋର କଟକଣାକୁ ଜୁଲାଇ ୧୯ ତାରିଖରୁ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛନ୍ତି ବୋରିସ ଜନସନ ।

ଜୁଲାଇ ୧୯ରୁ ଇଂଲଣ୍ଡ ହଟିବ ଲକଡାଉନ କଟକଣା । ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦେଶବାସୀଙ୍କୁ ଏହା ମଧ୍ୟ କହିଛନ୍ତି, ଏପରି କଠୋର ନିଷ୍ପତ୍ତି କେବଳ ଇଂଲଣ୍ଡବାସୀଙ୍କ ପାଇଁ ଗ୍ରହଣ କରିବାକୁ ଯାଉଛନ୍ତି । କଟକଣା ପ୍ରତ୍ୟାହାର ହେଉଥିଲେ ମଧ୍ୟ ସମସ୍ତଙ୍କୁ ସତର୍କ ହେବାକୁ ପଡିବ । ସଜାଗ ନହେଲେ ପୁଣି ବଢିପାରେ ସଂକ୍ରମଣ । ଦେଶରେ ଟିକାକରଣ ଏବେ ସଂକ୍ରମଣ ପାଇଁ ବଡ ପାଚେରୀ ହୋଇପାରିଛି ।

– ଜୁଲାଇ ୧୯ରୁ ଇଂଲଣ୍ଡରୁ ହଟିବ ଲକଡାଉନ କଟକଣା
– ଲକଡାଉନର ସମସ୍ତ କଡା କଟକଣା ପ୍ରତ୍ୟାହାର ହେବ
– ୨୦୨୦ ମାର୍ଚ୍ଚ ପରେ ଇଂଲଣ୍ଡରେ ଖୋଲିବ ନାଇଟ କ୍ଲବ
– ସାମାଜିକ ଦୂରତା ରକ୍ଷା କଟକଣା ବି ହଟିଯିବ
– ସାମାଜିକ କାର୍ଯ୍ୟରେ ଜନସମାଗମକୁ ଅନୁମତି
– ଲୋକଙ୍କୁ ଦେଖାଇବାକୁ ପଡିବନି କୋଭିଡ ସାର୍ଟିଫିକେଟ
– ଆବଶ୍ୟକ ହେଲେ ଟିକା ସାର୍ଟିଫିକେଟ୍ ଆଗକୁ ହୋଇପାରେ ବାଧ୍ୟତାମୂଳକ

କରୋନା ସହିତ ଲଢେଇ ଭିତରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ବଡ ବାର୍ତ୍ତା ପ୍ରଦାନ କରୁଛି । କାରଣ କରୋନା କଟକଣାରେ ବିଶ୍ୱର ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହେଲାଣି । ସାଧାରଣ ଜନଜୀବନରେ ଲୋକଙ୍କ ବଞ୍ଚିବା ବି କଷ୍ଟକର ହୋଇଗଲାଣି । କାରଣ କାମ ନାହିଁ । ସଂଚିତ ଅର୍ଥ ସରିବା ପରେ କିପରି ବଂଚିବ ମଣିଷ ତାକୁ ନେଇ ଚିନ୍ତା । ଏପରି କିଛି କଷ୍ଟକର ପରିସ୍ଥିତିରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କରୋନା କଟକଣାକୁ ପ୍ରତ୍ୟାହାର କରି କରୋନା ସହିତ ସତର୍କତାର ଭିତରେ ଜୀବନ ବଂଚିବାକୁ ଲୋକଙ୍କ ପାଇଁ ବାଟ ବାଛିବାକୁ ପସନ୍ଦ କରିଛନ୍ତି ।

ବୋରିସ ଜନସନଙ୍କ ନିଷ୍ପତିକୁ ଇଂଲଣ୍ଡର କିଛି ବର୍ଗର ଲୋକ ବିରୋଧ ବି କରୁଛନ୍ତି । କାରଣ କରୋନାର ପୂରା ଆକ୍ରାନ୍ତ ଅଂଚଳ ଏବଂ ଯେଉଁ ଅଂଚଳରେ ମୃତ୍ୟୁ ହାର ଅଧିକ ରହିଛି, ସେଠାରୁ ଜୁଲାଇ ୧୯ରୁ କିପରି ହଟାଇବେ କଟକଣା । ବ୍ରିଟିଶ ଚାଂବର ଅଫ୍ କମର୍ସ, ବୋରିସ ଜନସନଙ୍କ ଏପରି ନିଷ୍ପତିକୁ ସ୍ୱାଗତ କରିଛି । ବ୍ରିଟିଶ ଚାଂବର ଅଫ୍ କର୍ମସ କହିଛି ଇଂଲଣ୍ଡ ସରକାରଙ୍କ ଏହି ନିଷ୍ପତି ବ୍ୟବସାୟୀଙ୍କ ମୁହଁରେ କିଛି ଟା ହସ ଫୁଟାଇବ । ତେବେ ଇଂଲଣ୍ଡ ସରକାର କିପରି ସବୁ ଅନଲକ୍ କରିବେ ତା ନେଇ ଚିତ୍ର ସ୍ପଷ୍ଟ କରିବା ଆବଶ୍ୟକ ।

ଏବେ ନଜର ପକାନ୍ତୁ ଇଂଲଣ୍ଡର କରୋନା ମିଟର ଉପରେ । ଜୁଲାଇ ୧୨ ତାରିଖରେ ୩୪ ହଜାର ୪୭୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦିନକରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଇଂଲଣ୍ଡରେ ଗତ ୬ ଦିନ ଧରି କ୍ରମାଗତ ୩୦ ହଜାର ଉପରେ ଆସୁଛି ଦୈନିକ ସଂକ୍ରମଣ । ଇଂଲଣ୍ଡର ୪୫.୯ ମିଲିୟନ ଲୋକ ଅର୍ଥାତ୍ , ୮୭ ପ୍ରତିଶତ ଯୁବକ ବା ପ୍ରାପ୍ତ ବୟସ୍କ ଅତି କମରେ କୋଭିଡର ଗୋଟିଏ ଡୋଜ୍ ନେଇ ସାରିଛନ୍ତି । ସେହିପରି ୩୪.୮ ମିଲିୟନ କୋଭିଡର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି । ଲୋକ ବର୍ତମାନ ଅଧିକରୁ ଅଧିକ ଟିକା ନେଇ ସାରିଥିବାରୁ ଇଂଲଣ୍ଡ ସରକାର ଏବେ ଲକଡାଉନ ଖୋଲିବାକୁ ଯୋଜନା କରିଛନ୍ତି ।

ପ୍ରକୃତରେ ଜୁନ୍ ୨୧ରୁ ଇଂଲଣ୍ଡରେ ଲକଡାଉନ କୋହଳ କରିବାକୁ ପ୍ରଥମରୁ ଯୋଜନା ରଖିଥିଲେ ବୋରିସ ଜନସନ୍ । ହେଲେ ଲୋକଙ୍କୁ ଅଧିକରୁ ଅଧିକ ଟିକା ନେବାକୁ ସମୟ ଦେବାକୁ ଏହି ତାରିଖକୁ ଜୁଲାଇ ୧୯ ଯାଏଁ ବୃଦ୍ଧି କରିଛନ୍ତି । କରୋନା ମୁକାବିଲାରେ କଟକଣା ନୁହଁ ଟିକା ଓ ସତର୍କତା ଭରସା ବୋଲି ଇସାରା କରିଛନ୍ତି ବୋରିସ ଜନସନ୍ ।