ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ପୁଣି ଉଦ୍ୟମ ଆରମ୍ଭ : ଚୀନକୁ ମନାଇବାକୁ ପ୍ରୟାସ କଲେ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ

349

ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନକୁ ନେଇ ସାରା ଭାରତରେ ରହିଛି ତୀବ୍ର ଅସନ୍ତୋଷ । ପାକିସ୍ତାନରେ ରହି ଭାରତରେ ରକ୍ତର ହୋଲି ଖେଳୁଥିବା କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରକୁ ଆଇନର ଫାସରେ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ନୂଆଦିଲ୍ଲୀ । ଆଉ ଭାରତର ଏହି ଉଦ୍ୟମକୁ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ସମର୍ଥନ ରହିଛି । ହେଲେ ମିଳିତ ଜାତିସଂଘରେ ଚୀନ୍ ତାର ପାକିସ୍ତାନ ପ୍ରୀତି ଦେଖାଇବା ପରେ ମାସୁଦ ପ୍ରସଙ୍ଗରେ ବଡ ଝଟକା ଲାଗିଛି ।

ଗତ ୧୩ତାରିଖରେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ରୋକ୍ ଲଗାଇଦେଇଥିଲା ବେଜିଂ । ହେଲେ ଆତଙ୍କବାଦ ପ୍ରସଙ୍ଗରେ ଚୀନ୍ ତାର ଆଭିମୁଖ୍ୟ ବଦଳାଇବା ଦରକାର ବୋଲି ଦାବି କରୁଛନ୍ତି ଜାତିସଂଘର ଅନ୍ୟ ସଦସ୍ୟ ରାଷ୍ଟ୍ର । ତେଣୁ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ସହାୟତା କରିବା ପାଇଁ ଚୀନକୁ ମନାଉଛନ୍ତି ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ । ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ଏହି ରାଷ୍ଟ୍ର ମାନଙ୍କ ଉଦ୍ୟମ ସଫଳ ନହେଲେ ବିକଳ୍ପ ବାଟ ବାଛିପାରନ୍ତି । ଚର୍ଚ୍ଚା ହେଉଛି ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ପ୍ରସ୍ତାବ ଉପରେ ଜାତିସଂଘରେ ଆଲୋଚନା କରାଇପାରନ୍ତି ଏହି ୩ରାଷ୍ଟ୍ର । ଏପରିକି ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କୁ ନେଇ ଭୋଟିଂ କରାଯାଇପାରେ । ଏପରି ହେଲେ ପାକିସ୍ତାନକୁ ସମର୍ଥନ ଦେଉଥିବା ଚୀନ୍ ଅର୍ନ୍ତଜାତୀୟ ସମୁଦାୟରେ ଏକ ଘରକିଆ ହୋଇଯିବ ।