ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ ବୁଦ୍ଧିର ଖେଳ । ଜଣେ ଚାକିରି ଛାଡି ଆଉ ଜଣେ ଅବସର ସମୟରେ ତିଆରି କରୁଛନ୍ତି ବିରିୟାନୀ ।

259

କନକ ବ୍ୟୁରୋ: କୌଣସି କାମ ଛୋଟ କି ବଡ ନୁହଁ । ରାସ୍ତା କଡରେ ବିରିୟାନୀ ବିକି ସମାଜକୁ ଏପରି ନିଆରା ବାର୍ତ୍ତା ଦେଉଛନ୍ତି ଦୁଇ ଯୁବ ଇଂଜିନିୟର । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଦୁଇ ବିଟେକ ଇଂଜିନିୟର ବନ୍ଧୁଙ୍କ କଥା । ଜଣେ ଚାକିରି କରୁଥିବା ବେଳେ, ଅନ୍ୟ ଜଣେ କରୋନା କାଳରେ ଚାକିରି ହରାଇଥିଲେ । ଆଉ ଏବେ ଏହି ଦୁଇ ବନ୍ଧୁ ମିଶି ଆରମ୍ଭ କରିଥିବା ଇଞ୍ଜିନିୟର୍ସ ଠେଲାରେ ବିରିୟାନୀ ଖାଇବାକୁ ଜମୁଛି ଗ୍ରାହକଙ୍କ ଭିଡ ।

ମାଲକାନଗିରି ଜିଲ୍ଲାର ଦୁଇ ଯୁବ ଇଂଜିନିୟର ସୁମିତ କୁମାର ସାମଲ ଓ ପ୍ରିୟମ ବେବର୍ତାନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ କଡରେ ଦିନ କେଇଟା ପୂର୍ବେ ଇଂଜିନିୟର୍ସ ଠେଲା ଲଗାଇଥିଲେ । ଆଉ ପ୍ରତି ଦିନ ଅପରାହ୍ନରେ ଏହି ଠେଲାରେ ବିରିୟାନୀ ବିକନ୍ତି ଏହି ଦୁଇ ଯୁବ ଇଂଜିନିୟର । ସେ ମାର୍କେଟିଙ୍ଗ କରିବା ହେଉ ଅବା ରୋଷେଇ , ଆରମ୍ଭ ଠାରୁ ଶେଷ ଯାଏଁ, ଅତି ଶ୍ରଦ୍ଧାର ସହ କରନ୍ତି ଏହି ୨ଜଣ । ଆଉ ସନ୍ଧ୍ୟା ସମୟରେ ଷ୍ଟଲ ଖୋଲିବା ମାତ୍ରେ ଏଠାରେ ଜମେ ଗ୍ରାହକଙ୍କ ଭିଡ । ବିଶେଷ କରି ଯୁବ ଗ୍ରାହକଙ୍କ ଏଠାରେ ଭିଡ ଜମୁ ଥିବା ବେଳେ ଏକରୁ ଦେଢ ଘଂଟା ଭିତରେ ସରିଯାଏ ଇଂଜିନିୟର୍ସ ଠେଲାର ସୁଆଦିଆ ବିରିୟାନୀ ।

ସୁମିତ କୁମାର ସାମଲ ସିଭିଲ ଇଂଜିନିୟରିଙ୍ଗରେ ବିଟେକ ଡିଗ୍ରୀ ହାସଲ କରି ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ । ତେବେ ଲକ୍ ଡାଉନ ଯୋଗୁ ସୁମିତ ଚାକିରି ହରାଇ ଦୀର୍ଘ ୮ ମାସ ଧରି ଘରେ ବସି ଥିଲେ । ଆଉ ପ୍ରିୟମ ମେକାନିକାଲ ଇଂଜିନିୟରିଂରେ ବିଟକେ୍ ସହ କମ୍ପ୍ୟୁଟର ସାଇନ୍ସରେ ମଧ୍ୟ ଡିଗ୍ରୀ ହାସଲ କରି ଏକ ରାଷ୍ଟ୍ରାୟତ କମ୍ପାନୀରେ ସାଇବର ସେକ୍ୟୁରିଟି ଆନାଲିଷ୍ଟ ଭାବେ ଭଲ ଦରମାରେ ଚାକିରି କରୁଛନ୍ତି । ଆଉ ଉଭୟଙ୍କ ବାପା ମଧ୍ୟ ପ୍ରତିଷ୍ଠିତ ସରକାରୀ ଚାକିରିଆ । ତେବେ ସୁମିତ ଚାକିରି ହରାଇ କିଛି କରିବାକୁ ଇଚ୍ଛା ପ୍ରକାଶ କରି ଥିବା ସହ ପ୍ରିୟମ ସୁମିତକୁ ସହଯୋଗ କରିବା ସହ ନିଜ ଖାଲି ସମୟର ସଦବିନିଯୋଗ କରିବା ଲାଗି ବିରିୟାନୀ ବିକିବାକୁ ଉଭୟ ନିଷ୍ପତି ନେଇଛନ୍ତି । ଆଉ ଦୁଇରୁ ଅଢେଇ ହଜାର ଟଙ୍କା ବିନିମୟରେ ୫ ରୁ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି ଦୁଇ ଇଂଜିନିୟର ।

ବର୍ତମାନ ସମୟରେ ଉଚ୍ଚ ଶିକ୍ଷା ଲାଭ କରି, ମନ ମୁତାବକ ଚାକିରି ନ ପାଇ ପିଲାଏ ଘରେ ବସିବାକୁ ପସନ୍ଦ କରୁଛନ୍ତି । ଆଉ ନିଜ ଆତ୍ମସମ୍ମାନ ହରାଇବା ଭୟରେ ଛୋଟ ମୋଟ କାମ କରିବାକୁ ପସନ୍ଦ କରୁନାହାନ୍ତି । ଏପରି ସ୍ଥିତିରେ ପ୍ରିୟମ ଓ ସୁମିତଙ୍କ ଏହି ନିୟାରା ଉଦ୍ୟମକୁ ନେଇ ଏବେ ପ୍ରଶଂସାର ସୁଅ ଛୁଟିଛି ।