କନକ ବ୍ୟୁରୋ: ତଦନ୍ତ ପାଇଁ ଟଙ୍କା ମାଗୁଛି ସାଇବର ପୋଲିସ । ରାଜ୍ୟ ବାହାରକୁ ଯାଇ ସାଇବର ଠକଙ୍କୁ ଧରିବା ପାଇଁ ଅଭିଯୋଗକାରୀଙ୍କୁ ଅର୍ଥ ସହଯୋଗ ପାଇଁ କୁହାଯାଉଛି । ଏବେ ପ୍ରଶ୍ନ ସାଇବର ଠକେଇର ଶିକାର ହେଲେ କେମିତି ମିଳିବ ନ୍ୟାୟ ? କେମିତି ଟଙ୍କା ଫେରି ପାଇବେ ଲୁଟ ଶିକାର ବ୍ୟକ୍ତି ? ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜଳେଶ୍ୱର ଥାନା ଆରୁହା ଗାଁରୁ ।
ଠକେଇର ଶିକାର ହୋଇଛନ୍ତି ଜଣେ ଇଞ୍ଜିନିୟର ଛାତ୍ର । ଇଣ୍ଟରନେଟ ସଂସ୍ଥାର ଏଚଆର ଭାବେ ପରିଚୟ ଦେଇ ଛାତ୍ରଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ବାଲେଶ୍ୱର ସାଇବର ଥାନାରେ ମାମଲା ମଦ୍ୟ ରୁଜୁ ହୋଇଛି । କିନ୍ତୁ ଘଟଣାକୁ ୮ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ମାମଲାକୁ ଗୁରୁତ୍ବର ସହ ନେଉ ନଥିବା ଅଭିଯୋଗ କରିଛନ୍ତି ଛାତ୍ର । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ । ଏଥିପାଇଁ ଛାତ୍ରଙ୍କୁ ଅର୍ଥ ସହଯୋଗ କରିବାକୁ କହିଥିଲା ପୋଲିସ । ଛାତ୍ର ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ପୋଲିସ ତଦନ୍ତ କରୁ ନଥିବା ଅଭିଯୋଗ ହୋଇଛି । ଠକାମୀର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ବାଲେଶ୍ୱର ଜଳେଶ୍ୱର ଥାନା ଆରୁହା ଗାଁର ହରେକୃଷ୍ଣ ଭୁୟାଁ ।
ତଥ୍ୟ ଅନୁସାରେ, ପ୍ରଥମେ ଜଣେ ମହିଳା ହରେକୃଷ୍ଣଙ୍କୁ ଗ୍ଲୋବାଲ ଏଚିଭର ନାମକ ଏକ ବିଜ୍ଞାପନ ସଂସ୍ଥାର ଏଚଆର ଭାବେ ପରିଚୟ ଦେଇଥିଲେ । ବିଭିନ୍ନ ଲୋଭ ଦେଖାଇ ୫ଟି କିସ୍ତିରେ ଟଙ୍କା ଡିପୋଜିଟ କରିବାକୁ କହିଥିଲେ । କିସ୍ତି ପୂରଣ ନହେବା ଯାଏଁ ଟଙ୍କା ଉଠାଇ ହେବନି ବୋଲି କହିବାରୁ ଛାତ୍ର ଜଣକ ୫ଟି କିସ୍ତିରେ ୭ ଲକ୍ଷ ଟଙ୍କା ଏବଂ ପରେ ଆଉ ଦୁଇଟି କିସ୍ତିରେ ୩ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ । ଏହା ପରେ ମଧ୍ୟ ଲୁଟେରା ଟଙ୍କା ମାଗିଥିଲା । କିନ୍ତୁ ଛାତ୍ର ଜଣଙ୍କ ଟଙ୍କା ନଦେବାକୁ ତାଙ୍କୁ ସୋସିଆଲ ମିଡିଆରୁ ବ୍ଲକ ଦେଇଥିଲା ଅଭିଯୁକ୍ତ । ଏବେ ଅଭିଯୁକ୍ତକୁ ଗିରଫ ସହ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଥାନାକୁ ଦୌଡି ଦୌଡି ନିରାଶ ହୋଇଛନ୍ତି ଛାତ୍ର ।