କାଳବୈଶାଖୀ ଉଜାଡ଼ିଦେଲା ପରିବାର: ଜୀବନ୍ତ ଜଳିଗଲେ ଇଂଜିନିୟରିଂ ଛାତ୍ର, ଜଳେଶ୍ୱରରୁ ଆସିଲା ହୃଦୟ ବିଦାରକ କାହାଣୀ

2,745

କନକ ବ୍ୟୁରୋ: ମାତ୍ର ୨୩ ବର୍ଷର ଯୁବକଟିଏ । ବାଲେଶ୍ୱର ଜିଲ୍ଲାରୁ ଆସି ଭୁବନେଶ୍ୱରରେ ପାଠ ପଢ଼ୁଥିଲେ । ସୁବିଧା ଦେଖି ଗାଁକୁ ଯାଇଥିଲେ, ବାପା-ମା’ଙ୍କୁ ଦେଖି ପୁଣି ଭୁବନେଶ୍ୱରର ଫେରି ଆସିବେ । ହେଲେ କିଏ ଜାଣିଥିଲା, ସେ ଶେଷ ଥର ପାଇଁ ଗାଁକୁ ଯାଉଛନ୍ତି । ଶେଷ ଥର ପାଇଁ ବାପା-ମାଙ୍କୁ ଦେଖୁଛନ୍ତି । ଗାଁରେ ଏଭଳି ଏକ ଅଘଟଣ ଘଟିଲା ଯେ, ଜୀବନ୍ତ ଜଳିଗଲେ ଜଳେଶ୍ୱର ଟୁକୁରୀ ହାଜିରା ଗାଁର ରଞ୍ଜନ ।

କେଡ଼େ ହତଭାଗା ବାପାଟିଏ । ପୁଅର ଶବ ପାଇଁ କୋକେଇ ବାନ୍ଧୁଛି ବାପା । ଛାତିକୁ ପଥର କରି ଅନ୍ତିମ କର୍ମର ଦାୟୀତ୍ୱ ତୁଳାଇବାକୁ ପଡ଼ୁଛି । କିଏ ଜାଣିଥିଲା, ଜଣେ ବାପାଙ୍କୁ ଏଭଳି ବି ନିଷ୍ଠୁର କର୍ତବ୍ୟ ତୁଳାଇବାକୁ ପଡ଼ିବ । ପୁଅ ବଡ଼ ହେବ, ବୁଢ଼ା ବୟସରେ ସାହାର ହେବ, ସବୁ ବାପା-ମାଙ୍କ ଭଳି ଏମାନେ ବି ଆଶା ରଖିଥିଲେ । ହେଲେ ଅକାଳରେ ଲିିଭି ଯାଇଛି ବଢ଼ିଲା ପୁଅର ଜୀବନ ଦୀପ ।

ଅନ୍ଧାରୁଆ ଏହି କଳାମେଘ ବୋଧେ, ପରମାଣିକ ପରିବାରରେ ସବୁଦିନ ପାଇଁ ଅନ୍ଧାର ଘୋଟି ଆଣିଥିଲା । ଭୁବନେଶ୍ୱରରରେ ଇଂଜିନିୟରିଂ ପଢ଼ୁଥିବା ଟୁକୁରୀ ହାଜିରା ଗାଁର ରଞ୍ଜନ ପରମାଣିକ, କେତେ ଖୁସିରେ ନିଜ ଚିଙ୍ଗୁଡ଼ି ଘେରିକୁ ବୁଲିବାକୁ ଯାଇଥିଲେ । ମେଘ ଆସୁଥିବାରୁ ଘରକୁ ଫେରି ଆସିବା ପାଇଁ ଦୁଇ ଦୁଇ ଥର ଡାକିଥିଲେ ବାପା । ହେଲେ ଯାଉଛି କହିଅଟକି ଯାଇଥିଲେ ୨୩ ବର୍ଷିୟ ରଞ୍ଜନ ।

ସମୟ : ପ୍ରାୟ ସକାଳ ୯ଟା
ସ୍ଥାନ: ଟୁକୁରି ହାଜିରା
ଅଚନାକ୍ ବର୍ଷା-ପବନ ହେବାରୁ ଚିଙ୍ଗୁଡ଼ି ଘେରି ନିକଟରେ ଥିବା କୁଡ଼ିଆରେ ଅଟକିଯାଇଥିଲେ ରଞ୍ଜନ । ହେଲେ ହଠାତ୍ ବଜ୍ରାଘାତରେ କୁଡ଼ିଆ ସହ ସଂପୂର୍ଣ୍ଣ ଜଳି ଯାଇଥିଲେ ରଞ୍ଜନ । ସବୁ କିଛି ଛାରଘାର ହୋଇଥିଲା, ଆଉ ତା ଭିତରେ ପୋଡ଼ିଯାଇଥିଲେ ହରେନ୍ଦ୍ର ଓ ଲକ୍ଷ୍ମୀପ୍ରିୟାଙ୍କ ଏକମାତ୍ର ପୁଅ ।

୨୩ ବର୍ଷିୟ ରଞ୍ଜନ ଭୁବନେଶ୍ୱରରେ ରହି, ଇଜିଂନିୟରି ପାଠ ପଢ଼ୁଥିଲେ । ବାପା-ମା’ କେତେ ଆଶା ରଖିଥିିଲେ, ପୁଅ ବଡ଼ ହେବ ବଡ଼ ଚାକିରି କରିବ । ବାପା-ମାଙ୍କୁ ଖୁସିରେ ରଖିବ । ହେଲେ ଗାଁକୁ ଆସିଥିବା ବେଳେ ଘଟିଗଲା ଅଘଟଣ ।

ପୁଅର ଏଭଳି ଭୟଙ୍କର ମୃତ୍ୟୁ ହୋଇଛି ଯେ, ମଲାବେଳେ ପୁଅର ମୁହଁ ଟିକକ ବି ଚାହିଁ ପାରିଲେନି ଜନ୍ମ ଦେଇଥିବା ମା’ । ବଜ୍ରଘାତରେ ବଢ଼ିଲା ପିଲାଟିର ମୃତ୍ୟୁର ଖବର ପୁରା ଅଂଚଳକୁ ସ୍ତବ୍ଧ କରି ଦେଇଛି ।