ଓଡ଼ିଆରେ ଇଂଜିନିୟରିଂ ଶିକ୍ଷା ପାଇଁ ସ୍ୱାକ୍ଷର ହେଲା ଏମଓୟୁ : ଏଆଇସିଟିଇ ଏବଂ ଆଇଓଏସଆର ମଧ୍ୟରେ ଚୁକ୍ତି

Advertisment
ଓଡ଼ିଆରେ ଇଂଜିନିୟରିଂ ଶିକ୍ଷା ପାଇଁ ସ୍ୱାକ୍ଷର ହେଲା ଏମଓୟୁ : ଏଆଇସିଟିଇ ଏବଂ ଆଇଓଏସଆର ମଧ୍ୟରେ ଚୁକ୍ତି

କନକ ବ୍ୟୁରୋ : ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିବେ ଇଂଜିନିୟରିଂ ଛାତ୍ରଛାତ୍ରୀ । ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ- ଏଆଇସିଟିଇ ଏବଂ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା -ଆଇଓଏସଆର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ଆଇଆଇଟି ଖଡଗପୁର ବର୍ଦ୍ଧିତ କ୍ୟାମ୍ପସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅନିଲ ସହସ୍ରବୁଦେ୍ଧ ଏବଂ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ସଭାପତି ଅବସର ବେଉରିଆଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମାତୃଭାଷାକୁ ବ୍ୟବହାରିକ ରୂପ ଦେବାରେ ଏହା ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏବଂ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ମିଳିତ ଭାବେ ଓଡ଼ିଆ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ କାର୍ଯ୍ୟ କରିବେ ।

ରାଜଧାନୀସ୍ଥିତ ଆଇଆଇଟି ଖଡଗପୁରର ବର୍ଦ୍ଧିତ କ୍ୟାମ୍ପସ ଠାରେ ଆୟୋଜିତ ଏହି ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ ଏମ୍‌ଓୟୁ ଅନୁସାରେ ଶିକ୍ଷାର ମାନ ଏବଂ ଛାତ୍ରଛାତ୍ରୀମାନଙ୍କ ବୁଝିବାର ସାମର୍ଥ୍ୟ ଅନୁସାରେ ଡିପ୍ଲୋମା, ବି.ଟେକ୍ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରାଯିବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଏବଂ ପୁସ୍ତକ ପ୍ରସ୍ତୁତିର ବ୍ୟବସ୍ଥା କରାଯିବ । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ । ଆସନ୍ତା ୧୫ବର୍ଷ ପରେ ଅର୍ଥାତ୍ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ କରାଯିବ। ଆଗାମୀ ୨୫ବର୍ଷ ପରେ ଅର୍ଥାତ୍ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ବର୍ଷ ପୂରଣ କରିବ। ଏହି ସମୟରେ ୪ଟି ବିଷୟ ଯଥା ପୋଷଣ, ଭାଷା, ଶିକ୍ଷା ଓ ରୋଜଗାର ଆମ ସମାଜ ପାଇଁ ଆହ୍ବାନ ହୋଇଛି ।

ପିଲାଙ୍କୁ ପୁଷ୍ଟିକରଣଯୁକ୍ତ ଖାଦ୍ୟ ସହ ମାତୃଭାଷାକୁ ଗୁରୁତ୍ବ, ଗୁଣାତ୍ମକ ଶିକ୍ଷା ସହ ରୋଜଗାରକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। ଏହାକୁ ଗୁରୁତ୍ବ ଦେଲେ ‌ହିଁ ଆମେ ସ୍ବାବଲମ୍ବୀ, ସ୍ବାଭିମାନୀ ଓ ଆତ୍ମନିର୍ଭର ହୋଇପାରିବା। ନିଜ ଭାଷାରେ ଶିକ୍ଷା ଦ୍ବାରା ବ୍ୟକ୍ତି ଓ ରାଷ୍ଟ୍ରର କିପରି ଆର୍ଥିକ ବିକାଶ ଘଟିଥାଏ ତାହାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ୟୁରୋପୀୟ ଦେଶ ଜର୍ମାନୀ, ଫ୍ରାନ୍ସ ଏବଂ ଏସୀୟ ଦେଶ ଜାପାନରେ ଦେଖିବାକୁ ମିଳେ। ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ଆଇଓଏସ୍‌ଆର୍‌ର ଅଧ୍ୟକ୍ଷ ଅବସର ବେଉରିଆ, ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ତିୱାରୀ, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଆର୍‌.ଭି ରାଜକୁମାର, ଏଆଇସିଟିଇ ପରିଷଦର ମୁଖ୍ୟ ସଂଯୋଜକ ବୁଦ୍ଧ ଚନ୍ଦ୍ରଶେଖର, ଆଇଓଏସ୍‌ଆର୍‌ର ସଦସ୍ୟ ସଚିବ ଡାକ୍ତର ସୁବ୍ରତ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe