ଅଗଷ୍ଟ ୯ରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ : କୋଭିଡ୍ ଗାଇଡଲାଇନ୍ ମାନି ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ

1,503

କନକ ବ୍ୟୁରୋ : କରୋନା କଟକଣା ସହ ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । କରୋନା ମହାମାରୀ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଏବେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୈଷୟିକ ଶିକ୍ଷା ବିଭାଗ । କୋଭିଡ କଟକଣା ଭିତରେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ।

ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶ୍ରେଣୀଗୃହ, ଲାବୋରେଟୋରୀ ଓ ହଷ୍ଟେଲକୁ ସାନିଟାଇଜ କରାଯିବ । ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ନିୟନ୍ତ୍ରଣରେ ଆସୁଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକନିକ ଓ ଆଇଟିଆଇ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନାକୁ ସାନିଟାଇଜ କରିବା ସହ କରୋନା କଟକଣା ମାନି ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ହେଲେ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନେ, ବିଶ୍ୱବିଦ୍ୟାଳୟ କିମ୍ବା କଲେଜକୁ ଆସିବେ ନାହିଁ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ହାତ ସାନିଟାଇଜ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରାଯିବ । ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରଛାତ୍ରୀ ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚରେ ବିଭକ୍ତ କରାଯିବ । ଛାତ୍ରଛାତ୍ରୀ ବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେ‌ଲେ ସେମାନଙ୍କୁ ସଙ୍ଗରୋଧ କରିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ।