କନକ ବ୍ୟୁରୋ : ଭଦ୍ରକରେ ସାମଲ ପରିବାରକୁ ଜୋରଦାର ହେଉଛି ବିରୋଧ । ବରପଦା ଇଞ୍ଜିନିୟରିଂ କଲେଜ ଟଙ୍କାକୁ ହରିଲୁଟ୍ କରିଥିବା ଅଭିଯୋଗରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତି ସାମଲଙ୍କ ଅଡ଼ୁଆ ବଡୁଛି । ୧୭ ମାସ ଧରି କଲେଜର କର୍ମଚାରୀମାନେ ଦରମା ପାଉନଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ।
ଏପଟେ ବିଧାୟକ ଓ ତାଙ୍କ ପୁଅଙ୍କ ନାଁରେ ଅଭିଯୋଗ ଆସିବା ପରେ ବନ୍ତ ବ୍ଲକ୍ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଞ୍ଚର ସଦସ୍ୟମାନେ ପ୍ରଫୁଲ୍ଲ ସାମଲ୍ ଓ ପ୍ରୟାସକାନ୍ତିଙ୍କ କୁଶ ପୁତଳିକା ଦାହ କରିଛନ୍ତି । କର୍ମଚାରୀଙ୍କୁ ଦରମା ନଦେଇ କଲେଜ ଟଙ୍କାରେ ବିଧାୟକଙ୍କ ପୁଅ ଦାମୀ ଗାଡି କିଣିଥିବା ଅଭିଯୋଗ କରି ବି କ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏପଟେ ବିବାଦ ତେଜିବା ପରେ କଲେଜର ଅନ୍ୟକିଛି କର୍ମଚାରୀ ବିଧାୟକ ଓ ତାଙ୍କ ପୁଅଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା ଅନୁସାରେ କରୋନା ଯୋଗୁଁ କଲେଜରେ ୨ ବର୍ଷ ହେବ ନାମଲେଖା ବନ୍ଦ ରହିଛି । ଯେଉଁ କାରଣରୁ କଲେଜ ଆର୍ଥିକ ଅନଟନ ଦେଇ ଗତି କରୁଛି । ତେଣୁ ଯେଉଁ କର୍ମଚାରୀମାନେ କଲେଜ ଗେଟ୍ ଆଗରେ ଧାରଣାରେ ବସିଛନ୍ତି, ତାହା ସମ୍ପୂର୍ଣ୍ଣ ବେଆଇନ୍ ବୋଲି କଲେଜର ଅନ୍ୟ କର୍ମଚାରୀ କହିଛନ୍ତି । କୋର୍ଟରେ ମାମଲା ଚାଲୁଥିବାରୁ ଏଭଳି ବିକ୍ଷୋଭକୁ କର୍ମଚାରୀମାନେ ନିନ୍ଦା କରିଛନ୍ତି ।